ଭୁବନେଶ୍ୱର : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି।  ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଯବାନ ଆହତ ହୋଇଛନ୍ତି ।ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି  ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ।ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ରଶିଦକୁ କାଶ୍ମୀରର ନୂଆ ଆତଙ୍କବାଦୀ ମାନଙ୍କୁ ଟେନ୍ରିଂ ଦେବାର ଦାୟିତ୍ୱ ଦିଆଯାଇଥିଲା । ଜୈସ କମାଣ୍ଡର ରଶିଦ ଗାଜି ଆଇଇଡି ପ୍ରସ୍ତୁତ କରିବାରେ ମାହିର ଥିବା ବେଳେ ୯ ଡିସେମ୍ବରରେ ସେ କାଶ୍ମୀରରେ ଅନୁପ୍ରବେଶ କରିଥିଲା । ଗାଜି ଜୈଓ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଓ ବିସ୍ଫୋରଣ କରିବାର ଟ୍ରେନିଂ ଦେଉଥିଲା ।

ମିିଳିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସିଆରପିଏଫ ବସରେ ୩୯ଜଣ ଯବାନ ଯାତ୍ରା କରୁଥିଲେ । ବିସ୍ଫୋରକ ଭରା କାରଟି ମହିନ୍ଦ୍ରା ସ୍କର୍ପିଓ ଥିଲା ବୋଲି ଜଣାପଡିଛି । ଏବଂ ଏଥିରେ ୩୫୦ କିଲୋ ବିସ୍ଫୋରକ ଲଦାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀନଗର-ଜମ୍ମୁ ହାଇୱେରେ ଭାରତୀୟ ଯବାନ ସବୁବେଳେ ଗତିଶୀଳ ରହୁଥିବାରୁ ଏହି ହାଇୱେକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଥାଏ । ତେଣୁ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର କହିବାନୁସାରେ ବିସ୍ଫୋରକ ଭରା କାରଟିକୁ ଅଦିଲ ଅହମ୍ମଦ ନାମକ ଜଣେ ଆତଙ୍କବାଦୀ ଚଳାଉଥିଲା । ୨୦୧୮ରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଏହି ଆତଙ୍କବାଦୀର ସ୍କେଚ ଜାରି କରିଛି ପୋଲିସ ।