Home ରାଜ୍ୟ ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ବରିଷ୍ଠ ସେବାୟତଙ୍କ ଧାରଣା

ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ବରିଷ୍ଠ ସେବାୟତଙ୍କ ଧାରଣା

ପୁରୀ: ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ଧାରଣା । ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଯଥେଷ୍ଟ ନୁହେଁ । ଚାରି ଦ୍ବାରରେ ଡାକ୍ତରଙ୍କୁ ରଖି ପଚାଶ ପଚାଶ ଭକ୍ତିଙ୍କୁ ଛାଡିବାକୁ ଦାବି କରି ମହାସୁଆର ନିଯୋଗର ସେବାୟତ ଧାରଣା ଦେଇଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇସାରିଲେଣି। ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି।

ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟି କ୍ରିୟା ସମୟରେ ଶହ ଶହ ଲୋକଙ୍କ ସମେତ ନେତା ମଧ୍ୟ ସାମିଲ ହୋଇଥିଲେ । ସେହି ସମୟରେ କାହାକୁ କୋଭିଡ -19 ନିୟମ କିମ୍ବା ସଂକ୍ରମଣ ଦେଖିଲେ ନାହିଁ । ହେଲେ ମନ୍ଦିର ଖୋଲିଲେ କଣ ଅସୁବିଧା ରହିଛି ବୋଲି ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦାର ମହାସୁଆର ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତିନୋଟି ପର୍ଯ୍ୟାୟରେ ଦିଆଯାଇଥିବା ୫୦୦୦ ଟଙ୍କା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ସେ କହିଛନ୍ତି।

ଏଣେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ କୋରୋନା ମହାମାରୀ ଯୋଗୁଁ ଦୀର୍ଘ 7 ମାସ ହେବ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ସେହିପରି ବିନା ଭକ୍ତଙ୍କ ଯୋଗୁଁ ସେବାୟତ ପରିବାର ରୋଜଗାର ଅଭାବରୁ ଘର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡିଛି। ଏଣୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ଅନୁମତି ଦିଆଯାଉ ବୋଲି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି।