Home ରାଜ୍ୟ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଶାହାଙ୍କ ଆହ୍ୱାନ : ଗଣତି ପର୍ଯ୍ୟନ୍ତ ବିଶ୍ରାମ ନିଅନ

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଶାହାଙ୍କ ଆହ୍ୱାନ : ଗଣତି ପର୍ଯ୍ୟନ୍ତ ବିଶ୍ରାମ ନିଅନ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରାଗାନ୍ଧି ଷ୍ଟାଡିୟମରେ ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆରମ୍ଭ
ହୋଇଛି । ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମସ୍ତଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବା ସହିତ କଂଗ୍ରେସ ଉପରେ ଶାଣିତ ସ୍ୱରରେ ଆକ୍ରମଣ କରିଛନ୍ତି । ଏହି ଅଧିବେଶନରେ ସେ ସମସ୍ତ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଏବେ ଠୁ ସମସ୍ତେ ବିଶ୍ରାମ ନେବା ଭୁଲିଯାଅ । ତୃଣମୂଳ ସ୍ତରରୁ କର୍ମୀମାନଙ୍କୁ ସଂଗଠିତ କର । ୨୦୧୯ରେ ବିଜେପି ଯେପରି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ସେ ନେଇ ସମସ୍ତେ ଧ୍ୟାନ ଦିଅ । ଏପରିକି ଗଣତି ସରିବା ପର୍ଯ୍ୟନ୍ତ ବିଶ୍ରାମକୁ ଭୁଲିଯାଅ ବୋଲି ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ ୨୦୧୯ର ନିର୍ବାଚନ ଏକ ପ୍ରକାର ବୈଚାରିକ ଲଢେଇ । ଏହା ଦୁଇ ବିଚାରାଧାରା ମଧ୍ୟରେ ସଂଘର୍ଷ । ୨୦୧୯ର ଲଢେଇ ଦଶନ୍ଧି ପର୍ଯ୍ୟନ୍ତ ପ୍ରଭାବ ପକାଇବ ଏବଂ ଏଥିପାଇଁ ଏନ୍ଡିଏର ୩୫ ଦଳ ମୋଦିଙ୍କ ନେତୃତ୍ୱରେ ଏକଜୁଟ୍ ରହିଛନ୍ତି । କଂଗ୍ରେସ ଓ ବିରୋଧୀଙ୍କୁ ଟାର୍ଗେଟ୍ କରି ଶ୍ରୀ ଶାହା କହିଥିଲେ ବିରୋଧୀଙ୍କ ପାଖରେ ନା ନେତା ଅଛନ୍ତି ନା ନୀତି ଅଛି । କଂଗ୍ରେସ ରାମ ମନ୍ଦିର ନିର୍ମାଣରେ କଣ୍ଟା ସାଜିଛି । ସେ କହିଥିଲେ ମରାଠା ଗୋଟିଏ ଯୁଦ୍ଧ ହାରିବାରୁ ଦେଶ ୨୦୦ ବର୍ଷ ପର୍ଯ୍ୟନ୍ତ ପରାଧିନ ହୋଇ ରହିଥିଲା । ୨୦୧୯ର ସ୍ଥିତି ଆଜିପରି ମଧ୍ୟ ରହିଛି । ୨୦୧୪ରେ ବିଜେପି ୬ଟି ରାଜ୍ୟରେ କ୍ଷମତାଶୀନ ଥିଲା ବେଳେ ଏବେ ୧୬ଟି ରାଜ୍ୟରେ ଶାସନଗାଦିରେ ବସିବାର ସାମର୍ଥ୍ୟ ହାସଲ କରିଛି । ସେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ୨୦୧୯ରେ ମୋଦି ସରକାରଙ୍କୁ ଆଉ ଥରେ କ୍ଷମତାଶୀନ କରନ୍ତୁ । ସେ କହିଥିଲେ ପୁରା ଦୁନିଆରେ ନରେନ୍ଦ୍ର ମୋଦିଙ୍କ ପରି ନେତା କୌଣସି ଦଳଙ୍କ ପାଖରେ ନାହାନ୍ତି । ମେଣ୍ଟକୁ ନେଇ ହେଉଥିବା ସମୀକରଣ ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ, ଏହି ମେଣ୍ଟ ଏକ ଫମ୍ପା ମାଠିଆ । ସେମାନେ କେବଳ କ୍ଷମତା ପାଇବାକୁ ଅଣ୍ଟାଭିଡିଛନ୍ତି । ଅନ୍ୟପକ୍ଷରେ ରାମ ମନ୍ଦିର ଉପରେ ମନ୍ତବ୍ୟ ରଖି ଶ୍ରୀ ଶାହା କହିଥିଲେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ । ବିଜେପି ମଧ୍ୟ ଚାହୁଁଛି ଯେ, ଶୀଘ୍ର ସେହି ସ୍ଥାନରେ ରାମମନ୍ଦିର ନିର୍ମାଣ ହେଉ । ମାତ୍ର କଂଗ୍ରେସ ଏଥିରେ ପ୍ରତିବନ୍ଧକ ସାଜିଛି । ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧିନ ରହିଛି । ଆମେ ପ୍ରୟାସ କରୁଛୁ ଯେପରି ଶୀଘ୍ର ଏହି ମାମଲାର ସମାଧାନ ହୋଇପାରିବ । ସାମ୍ବିଧାନିକ ପଦ୍ଧତିରେ ମାମଲାର ସମାଧାନ ହେବା ପାଇଁ ବିଜେପି ଚାହୁଁଥିବା ବେଳେ କଂଗ୍ରେସ ଏଥିରେ ବାଧାଦେଉଛି । ବିଜେପି କାର୍ଯ୍ୟକର୍ତ୍ତାମାନେ ଆଶ୍ୱସ୍ତ ରୁହନ୍ତୁ ଯେ, ଆମେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।