Home ରାଜ୍ୟ ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣାରେ ୭ ଜଣ ଆହତ , ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ...

ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣାରେ ୭ ଜଣ ଆହତ , ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ରାଜଧାନୀ ମୁଖ୍ୟସ୍ଥଳୀ ରାଜଭବନ ଛକରେ ଥିବା ପେଟ୍ରୋଲ୍‌ ପମ୍ପ୍‌ରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟିଯାଇଛି। ଏହି ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଜଣଙ୍କୁ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଶୁ ଚିକିତ୍ସା ଦିଆଯାଇ କଟକ ବଡ଼ ମେଡିକାଲ୍‌କୁ ପଠାଇ ଦିଆଯାଇଛି। ଏହିି ଦୁଇ ଜଣଙ୍କର ଆଖିରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍ସିକ୍ ଟିମ୍ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ‌ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି।

ଏହି ଅଗ୍ନିିକାଣ୍ଡରୁ ହୋଇଥିବା ବିସ୍ଫୋରଣର କାରଣ ସଂପର୍କରେ ସୂଚନା ନେଇ ପୁଲିସ୍‌  କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏଲ୍‌ପିଜି ଟାଙ୍କି ଫାଟି ଏହି ଦୁର୍ଘଟଣା ଘଟିଛି। ଏଥିସହ ସେ ଉକ୍ତ ପେଟ୍ରୋଲ୍‌ ଟାଙ୍କିରେ ଗଚ୍ଛିତ ଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ନିଷ୍କାସନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଛନ୍ତି। ଏହି କାର୍ଯ୍ୟଲାଗି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ଏକ  ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି। ସେମାନେ ଟାଙ୍କିରେ ଥିବା ପେଟ୍ରୋଲ୍‌ ଡିଜେଲ୍‌ କାଢ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳ ନିବଟବର୍ତ୍ତୀ ଅଞ୍ଚଳର ଲୋକେ ( ୫ କିଲୋମିଟର ପରିଧି) ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆ‌ଯାଇଛି।

ପେଟ୍ରୋଲ ପମ୍ପ୍ ଅଗ୍ନିକାଣ୍ଡରେ ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପେଟ୍ରୋଲ ପମ୍ପ୍ ରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

CM @Naveen_Odisha has announced free medical treatment of people injured in the fire accident at Petrol Pump near Raj Bhawan, Bhubaneswar and wished their speedy recovery. The fire has been extinguished and situation is under control now.— CMO Odisha (@CMO_Odisha) October 7, 2020