Home ରାଜ୍ୟ ପ୍ରଥମ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତ-ଶ୍ରଦ୍ଧାଳୁ ବଞ୍ଚିତ

ପ୍ରଥମ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତ-ଶ୍ରଦ୍ଧାଳୁ ବଞ୍ଚିତ

ପୁରୀ: ୨୬ ବର୍ଷ ପରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏ ନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ଆଜି  ରତ୍ନ ସିଂହାସନରେ  ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ବେଶ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗା ବେଶ‌ରେ ସଜ୍ଜିତ ‌ହୋଇଥିବା. ବେଳେ ଦେବୀ ସୁଭଦ୍ରା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଭୂଷିତା ହୋଇ ତ୍ରିଭୁବନେଶ୍ବରୀ ବେଶରେ ସଜ୍ଜିତା ହୋଇଛନ୍ତି। ତେବେ ଏଥର କରୋନା ଯୋଗୁଁ କଟକଣା ଭିତ‌ରେ ଅନୁଷ୍ଠିତ ହୋଇଛି ବେଶ। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କେବଳ ସେବକ ଓ ନିୟୋଜିତ ପ୍ରଶାସକ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇବେ। ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କୁ ଗଣମାଧ୍ୟମ ପକ୍ଷରୁ ବେଶ ଦର୍ଶନର ଅନୁଭୂତି ସଂପର୍କରେ ପ୍ରଶ୍ନ କରାଯିବା ପରେ ସେ ‘‘ଏହା ଅବର୍ଣ୍ଣନୀୟ’’ ବୋଲି କହିଥିଲେ।

ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ରଙ୍କ ଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଛନ୍ତି। ଏଥି‌ରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥିବା ବେଳେ ଏହା ଏକ ଜଜମାନି ବେଶ ହୋଇଥିବା ହେତୁ ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗର ଉପସ୍ଥିତ ରହିଥିଲେ ।

ଆଜି ନାଗାର୍ଜୁନ ବେଶରେ ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଇଛି । ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି। ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଇଛି। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପ‌‌‌ରେ ସିଲ୍‌କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ।