Home ରାଜ୍ୟ ‘ମୋ ସ୍କୁଲ’ ସଂଖ୍ୟା ୨୨ ହଜାରରେ ପହଞ୍ଚିଲା

‘ମୋ ସ୍କୁଲ’ ସଂଖ୍ୟା ୨୨ ହଜାରରେ ପହଞ୍ଚିଲା

ଭୁବନେଶ୍ୱର : ‘ମୋ ସ୍କୁଲ ଅଭିଯାନ’ରେ ଆରମ୍ଭ ହୋଇଥିବା ସ୍କୁଲ ପୋଷ୍ୟ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ସେଲ୍‌ ଗଠନ କରାଯାଇଛି। ଏଥିସହ ‘ମୋ ସ୍କୁଲ’ର ପ୍ରାଜେକ୍ଟ ମନିଟରିଂ ୟୁନିଟ୍‌କୁ ଅଧିକ ସଶକ୍ତ କରି ପୋଷ୍ୟ ସ୍କୁଲ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସ୍ବତନ୍ତ୍ର ଟେଲିଫୋନ୍‌ ନମ୍ବର ୦୬୭୪-୨୩୯୩୯୩୩ ଓ ମୋବାଇଲ ନମ୍ବର ୯୮୬୧୪୯୦୯୨୯ ଜାରି ହୋଇଛି।

ଅନ୍ୟପକ୍ଷରେ ‘ମୋ ସ୍କୁଲ ଅଭିଯାନ’ର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ୩୦ଟି ଜିଲ୍ଲାର ୪୬୬୪ଟି ବିଦ୍ୟାଳୟର ୩୨ କୋଟି ୫୪ ଲକ୍ଷ ୨୩ ହଜାର ୫୯୯ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ପ୍ରାୟ ୭୪ ହଜାର ପୁରାତନ ଛାତ୍ରଛାତ୍ରୀ ୧୦.୮୫ କୋଟି ଟଙ୍କା ଦାନ କରିଥିଲେ। ଏଥିରେ ବାଲେଶ୍ୱରରେ ୩.୩୨ କୋଟି, କେଉଁଝରରେ ୧.୯୦ କୋଟି, ଭଦ୍ରକରେ ୭୦.୯୬ ଲକ୍ଷ, ପୁରୀରେ ୪୪.୯୩ ଲକ୍ଷ, ସମ୍ବଲପୁରରେ ୩୮.୯୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲକୁ ଦେଇଛନ୍ତି। ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାସ୍ତରରେ ତଦାରଖ ଦଳ ଗଠନ କରାଯାଇ ବିଦ୍ୟାଳୟସ୍ତରରେ ‘ମୋ ସ୍କୁଲ’ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦୮୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ୧୬୨୮ଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଆଜି ସୁଦ୍ଧା ୩.୬୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇଛନ୍ତି। ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରାୟ ୨୨ ହଜାର ସ୍କୁଲକୁ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରାଯାଇଛି। କରୋନା ସତ୍ତ୍ବେ ଗତ ୨୦ ତାରିଖ ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଂଶଦାନ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।