Home ରାଜ୍ୟ ଅଶୋକ ପଣ୍ଡାଙ୍କ ହୀନ ରାଜନୀତିକୁ ନେଇ ଚର୍ଚ୍ଚା

ଅଶୋକ ପଣ୍ଡାଙ୍କ ହୀନ ରାଜନୀତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଗତ ନିର୍ବାଚନ ସମୟରେ ଦଳକୁ ଦୁର୍ବଳ କରି ନିଜ ଦଳର ସାଂସଦ ପ୍ରାର୍ଥୀଙ୍କୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଯା ଚର୍ଚ୍ଚା ଚାଲିଥିଲା  ତାହା ଗତକାଲି ଦେଖିବାକୁ ମିଳିଛି

ଭୁବନେଶ୍ୱର ୱାର୍ଡ ନଂ ୬୨ର କାରଗିଲ୍ ରୋଡ୍ ରେ ଗତକାଲି ବିଜେଡ଼ିର ଜନସଂପର୍କ ପଦଯାତ୍ରା ଉତ୍ସବ ଆୟୋଜିତ ହୋଇଥିଲା । ସେଥିପାଇଁ ଦଳୀୟ ନେତାମାନେ ଜୋରଦାର ପ୍ରସ୍ତୁତି କରିଥିଲେ । ମାଳ ମାଳ ନେତାଙ୍କ ଫଟୋ ଲାଗିଥିଲା । ହେଲେ ଏଭଳି ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା ବଡ ବ୍ୟତିକ୍ରମ ।

ଜନସଂପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତ କୌଣସି ବ୍ୟାନର୍ଓ ପୋଷ୍ଟରରେ ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ଫଟୋ ଦେଖିବାକୁ ମିଳିନଥିଲା ।ଏବଂ ଜିଲ୍ଲା ସଭାପତି ବାଇଁଆଙ୍କର ଫଟୋ କି ନାଁ ବି ଦେଖିବାକୁ ମିଳିଲା ନାହିଁ । ଏହାର ପ୍ରସ୍ତୁତକର୍ତ୍ତା ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ସେଥିପାଇଁ ସାମାନ୍ୟତମ ସୌଜନ୍ୟତା ରହିଲା ନାହିଁ । ବ୍ୟାନରରେ ଅରୂପ କି ବାଇଁଆଙ୍କର ଫଟୋ ନ ରଖିବାକୁ ମନ୍ତ୍ରୀ ହ୍ୱିପ୍ ଜାରି କରିଥିବା କୁହାଯାଉଛି ।   ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତିବର୍ଷ ଏହି ପଦଯାତ୍ରା ଉତ୍ସବର ଆୟୋଜନ ଜିଲ୍ଲା ସଂଗଠନ ଉପରେ ନ୍ୟସ୍ତ ଥାଏ । ମାତ୍ର ଏଥର ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏହି ୱାର୍ଡଟି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏକାମ୍ର ନିର୍ବାଚନମଣ୍ଡଳୀ ଅର୍ନ୍ତଭୁକ୍ତ ହୋଇଥିବାରୁ ନିଜକୁ ସେ ସର୍ବେସର୍ବା ବୋଲାଇ ଜିଲ୍ଲା ସଂଗଠନକୁ ଅନ୍ଧାରରେ ରଖି ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜନଠାରୁ ଉତ୍ସବ ଶେଷ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଅମରେଶ(ବାଇଁଆ) ଜେନା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ବାସିରେ ପଚାରି ନ ଥିଲେ । ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ  ମଧ୍ୟ ପଚାରି ନ ଥିଲେ କି ସହଯୋଗ ନେଇ ନ ଥିଲେ ।

ମୁଖ୍ୟ କଥାହେଲା ଅରୁପଙ୍କୁ ଦୁର୍ବଳ କରିବା ଓ ବାଇଆଁଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ଖେଳ ହୋଇଛି । ବିଧାନସଭା ନିର୍ବାଚନରେ ବାଇଆଁ ନିଜର ଶକ୍ତି ଦେଖାଇଥିବାରୁ ତାଙ୍କୁ ଦୁର୍ବଳ କରିବାଲାଗି ପଣ୍ଡା ବାବୁ ଲାଗି ପଡିଛନ୍ତି । ତାଙ୍କ ନିକଟରେ ଥିବା ଯୁବକମାନଙ୍କୁ ନିଜ ପଟକୁ ଆଣିବାରେ ସକ୍ଷମ ନହେବାରୁ ଆଜି ଏତେବଡ କାର୍ଯ୍ୟକ୍ରମରେ ଶ୍ରୀ ଜେନାଙ୍କୁ ତାଙ୍କ ସମର୍ଥକଙ୍କ ଆଗରେ ନ୍ୟୁନ କରି ଦେଖାଇବାକୁ ଉଦ୍ୟମ ହୋଇଛି ।

ସେହିଭଳି ଗତ ର୍ନିବାଚନ ସମୟରେ ଅରୁପଙ୍କ ପରାଜୟ ପଛରେ ପଣ୍ଡା ବାବୁଙ୍କ ଗୋଟି ଚାଳନା ନେଇ ଏବେ ବି ଦଳୀୟ ନେତାମାନେ ଆଲୋଚନା କରୁଛନ୍ତି । ଦଳୀୟ ଫୋରମ୍ ରେ ନିଜେ ଅରୂପ ଏହି କଥା ବାରମ୍ବାର ଉଠାଇଛନ୍ତି । ମାତ୍ର ତାଙ୍କ କଥାକୁ ହାଇକମାଣ୍ଡ ଗୁରୁତ୍ୱ ନ ଦେବା ଦଳୀୟ କର୍ମୀଙ୍କୁ ଆଚମ୍ବିତ କରିଛି । ଅଶୋକଙ୍କ ଏକଚାଟିଆ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପରିବର୍ତ୍ତେ ହାଇକମାଣ୍ଡ ଚୁପ୍ ରହି ତାଙ୍କ କାର୍ଯ୍ୟକୁ ପ୍ରଶୟ ଦେଉଥିବା ଅନେକଙ୍କର ଅନୁଭବ ହେଉଛି । ଗତକାଲି କାର୍ଯ୍ୟକ୍ରମ ପରେ ଏଭଳି ଆଲୋଚନା ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି । ଏଭଳି ଭିତିରିଆ ଗୃହଭେଦି କାର୍ଯ୍ୟ ଯଦି ଜାରିରୁହେ ତେବେ ଭୁବନେଶ୍ୱରରେ ଦଳ ପ୍ରଥମେ ତାହାର ସଂଗଠନ ହରାଇବ ବୋଲି କିଛି ନେତା ଖୋଲାଖୋଲି କହୁଛନ୍ତି ।