Home ରାଜ୍ୟ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ  ଅବସର ଦେଇଛନ୍ତି। ସେମାନଙ୍କ  ମଧ୍ୟରେ ୪ ଜଣ ଇଂଜିନିୟର ଥିବା ବେଳେ ୨ଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି। ଦୁର୍ନୀତି ଓ ଅପାରଗତା ବିରୋଧରେ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା। ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି ଏବଂ ସେ ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିଭୁର୍ତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି।

ସମ୍ପ୍ରତି କଟକ ଆର ଆଣ୍ଡ ବି ବିଭାଗର ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଜିତେନ୍ଦ୍ର କୁମାର ଦଳାଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି। ଦଣ୍ଡିତ ଅଧିକାରୀଙ୍କ ଭିତରେ ଅଛନ୍ତି ମୟୁରଭଞ୍ଜ କରଞ୍ଜିଆର ଗ୍ରାମୀଣ କାର୍ଯ୍ୟ ବିଭାଗ -୧ର ସହକାରୀ ଯନ୍ତ୍ରୀ ବିଜୟ ପରିଡା। ସେ ତିନିଟି ଭିଜିଲାନ୍ସ କେସରେ ଜଡ଼ିତ। ମରାମତି କାମ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି।

ଭୁବନେଶ୍ବର ଆର ଆଣ୍ଡ ବି ବିଭାଗ ନମ୍ବର ୨ର ସହକାରୀ ଯନ୍ତ୍ରୀ ଗଣେଶ୍ବର ସେଠୀଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯେ‌ାଗକୁ ଭିତ୍ତିକରି ୬ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ଭାବରେ କାର୍ଯ୍ୟରତ ଅବକାରୀ ବିଭାଗର ଉପଅଧୀକ୍ଷକ ଜୟଦୀପ ପଟ୍ଟନାୟକଙ୍କର କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଦ୍ଧାଚରଣ କରୁଥିଲା । ଦାୟିତ୍ବରେ ଅବହେଳା ସହିତ ସରକାରୀ ସମ୍ପତ୍ତିର କୁପରିଚାଳନା ଏବଂ ଅଫିସ ସମୟରେ ମଦ୍ୟପାନ ଆଦି ଅଭିଯୋଗ ତାଙ୍କ ବିରୋଧ‌ରେ ରହିଛି। ଏହି ଦୁଇ ଅଧିକାରୀ ଦଣ୍ଡିତ ହୋଇଛନ୍ତି।

ସୁନ୍ଦରଗଡରେ କାର୍ଯ୍ୟରତ ଅବକାରୀ ନୀରିକ୍ଷକ ରିହାଜ୍ ଅହମ୍ମଦ ବେଗ ତାଙ୍କ ଚାକିରି କାଳ ମଧ୍ୟରେ ପାଞ୍ଚ ଥର ନିଲମ୍ବିତ ହୋଇଇଛନ୍ତି। ଅପାରଗତା, ନିଷ୍ଠାହୀନତା ତଥା ଦାୟିତ୍ବହୀନ ବ୍ୟବହାର ପାଇଁ ତାଙ୍କ ବିରୋଧରେ ମଧ୍ୟ ୫ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଦାୟିତ୍ବରେ ଅବହେଳା ଓ ଅଶୋଭନୀୟ ବ୍ୟବହାର ଆଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଥିବାରୁ ସେ ସରକାରୀ ଚାକିରି କରିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ। ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି।ତେଣୁ ଦୁର୍ନତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି।