Home ରାଜନୀତି ଚିଲିକା ନିର୍ବାଚନମଣ୍ଡଳୀ : ରଘୁନାଥଙ୍କୁ ନୁହେଁ ମାନସଙ୍କୁ ଦିଆଯାଉ ବିଜେଡି ଟିକେଟ

ଚିଲିକା ନିର୍ବାଚନମଣ୍ଡଳୀ : ରଘୁନାଥଙ୍କୁ ନୁହେଁ ମାନସଙ୍କୁ ଦିଆଯାଉ ବିଜେଡି ଟିକେଟ

ଚିଲିକା : ଚିଲିକା ନିର୍ବାଚନମଣ୍ଡଳୀ ଆସନ ପାଇଁ ରଘୁନାଥଙ୍କୁ ନୁହେଁ ମାନସଙ୍କୁ ବିଜେଡି  ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେବାକୁ ବିଜେଡି ସୁପ୍ରିମୋଙ୍କୁ ଭେଟି ଅନୁରୋଧ କରିଛନ୍ତି ଚିଲିକାର ବିଜେଡି କର୍ମୀ । ୨୦୦୯ରେ ମେଣ୍ଟ ଭାଙ୍ଗିବା ସାଙ୍ଗକୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ତୁଲାଉଥିବା ଏବଂ କଂଗ୍ରେସ ଟିକେଟ ପାଇଁ ଆଶୟୀ ଥିବା ରଘୁନାଥ ସାହୁଙ୍କୁ ଶେଷ ମୂହୁର୍ତ୍ତରେ ଦଳରୁ ଟିକେଟ ନ ମିଳିବା ଫଳରେ ସେ ରାତାରାତି ବିଜେଡିରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ହୋଇ ଜିତିଥିଲେ । ହେଲେ ରଘୁ ଜିତିବାପରେ ଚିଲିକାରେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ବେଳେ ଦଳର ସାଙ୍ଗଠନିକ ସ୍ଥିତି ମଧ୍ୟ ଦିନକୁ ଦିନ ଦୁର୍ବଳ ହୋଇଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମୀ । ତେବେ ଏଥିପାଇଁ ରଘୁଙ୍କ ବଦଳରେ ମାନସଙ୍କୁ ଟିକେଟ ଦିଆଯିବା ଦରକାର ବୋଲି କହିଛନ୍ତି ବିଜେଡି କର୍ମୀ । କର୍ମୀଙ୍କ ମତରେ ମାନସ ବିଜେଡିରେ ମିଶିବା ପରେ ଚିଲିକାରେ ବିଜେଡିର ନବକଳେବର ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ମାନସ ଜଣେ ଉଚ୍ଚଶିକ୍ଷିତ,ସୁସଂଗଠକ ଓ ଅମାୟିକ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଚିଲିକା ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ରଘୁଙ୍କୁ ନଦେଇ ମାନସଙ୍କୁ ଦଳ ଟିକେଟ ଦେଲେ ଚିଲିକାରେ ଶଙ୍ଖ ଧ୍ୱନି ଶୁଭିବ ବୋଲି କହିଛନ୍ତି କର୍ମୀ ।