Home ରାଜ୍ୟ ବିଜେପି ହାରିଯିବା ଭୟରେ ଏପରି ମିଥ୍ୟାର ଆଶ୍ରୟ ନେଉଛି। : ପ୍ରତାପ ଦେବ

ବିଜେପି ହାରିଯିବା ଭୟରେ ଏପରି ମିଥ୍ୟାର ଆଶ୍ରୟ ନେଉଛି। : ପ୍ରତାପ ଦେବ

ଭୁବନେଶ୍ବର: ଗୁଇନ୍ଦା ବିଭାଗର ଏକ ଚିଠିକୁୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କର୍ଣ୍ଣାଟକରେ ମଧ୍ୟ ଏମିତି ଚିଠି ଜାଲିଆତି କରାଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି। ଉଭୟ ଦଳ ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିଜ ନିଜର ଦାବି ଜଣାଇଛନ୍ତି। ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଏହି ଚିଠିକୁ ନେଇ ଆଜି କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ଖାରବେଳନଗର ଥାନାରେ କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ନ ଥିଲେ ହେଁ ଗତକାଲି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେପି ନେତାଙ୍କୁ ପଚରାଉଚରା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି , ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଯୁବ ମୋର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ବିଜେପିର ମିଡିଆ ସେଲ୍‌କୁ ଏହି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ। ସେମାନେ ଥାନାରେ ହାଜର ହୋଇ ସେହି ଜାଲ କାଗଜପତ୍ର କେଉଁଠୁ ପାଇଲେ ସେ ସମ୍ପର୍କରେ ତଥ୍ୟ ଦେବେ। ଏଭଳି ଜାଲ କାଗଜପତ୍ର ଗଣମାଧ୍ୟମକୁ ଦେବାର ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ ପଚରାଉଚରା କରାଯିବ। ଏଭଳି ଜାଲ କାଗଜପତ୍ର କେଉଁଠି ପ୍ରସ୍ତୁତି ହୋଇଛି ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।ପୁଲିସ କମିସନର ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଏଭଳି ଜାଲ କାଗଜପତ୍ର କେଉଁଠୁ ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତକାଲି ପୁଲିସ ଡିଜି ଟୁଇଟ୍‌ କରି ଜଣାଇଥିଲେ କି, ଏହା ଏକ ଜାଲ ଚିଠି। ଫଳରେ ଏହି ମାମଲାଟି େରାଚକ େମାଡ଼ ନେଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଗତକାଲି ବିଜେପି ଗୁଇନ୍ଦା ରିପୋର୍ଟ ନାଁରେ ଦେଖାଇଥିବା କାଗଜ ସମ୍ପୂର୍ଣ୍ଣ ନକଲି ଓ ଜାଲିଆତି କରି ପ୍ରସ୍ତୁତ କରାଯାଇଛି। ବିଜେଡି ସଭାପତିଙ୍କ ସୁନାମରେ ଆଞ୍ଚ୍ ଆଣିବା ପାଇଁ ବିନା ଯାଞ୍ଚ୍‌ରେ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଏହି ଚିଠିକୁ ଦେଖାଉଛି। ମିଥ୍ୟା ତଥ୍ୟକୁ ନେଇ ଭୋଟର୍‌ଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଏହା ଏକ ଅପରାଧମୂଳକ ଷଡ଼ଯନ୍ତ୍ର। ଏକ ଜାତୀୟ ଦଳର ନେତାମାନଙ୍କର ଏପରି କାରସାଦି ନିନ୍ଦନୀୟ। ୨୦୧୮ ଏପ୍ରିଲ୍-ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଏମିତି ଜାଲ୍ ଚିଠି ବଣ୍ଟାଯାଇଥିଲା।  ଓଡ଼ିଶା ପରି କର୍ଣ୍ଣାଟକରେ ମଧ୍ୟ ବିଜେପି ଏହାକୁ ପ୍ରଚାରର ମାଧ୍ୟମ ଭାବେ ବ୍ୟବହାର କରିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାରେ ବିଜେପି ହାରିଯିବା ଭୟରେ ଏପରି ମିଥ୍ୟାର ଆଶ୍ରୟ ନେଉଛି।