Home ରାଜନୀତି କେଉଁ ଦଳରୁ ଲଢ଼ିବେ ପୃଥ୍ୱୀବଲ୍ଲଭ?

କେଉଁ ଦଳରୁ ଲଢ଼ିବେ ପୃଥ୍ୱୀବଲ୍ଲଭ?

ଭୁବନେଶ୍ୱର : ପୃଥ୍ୱୀବଲ୍ଲଭ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଥାପିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେ । ବର୍ତ୍ତମାନ ତାଙ୍କ ରାଜନୀତି ପ୍ରବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାନକୀ ବାବୁ ଜୀବିତାବସ୍ଥାରେ ତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭଙ୍କୁ ସାଧାରଣରେ ପରିଚିତ କରାଇ ନ ଥିଲେ । ଜାନକୀବାବୁଙ୍କ ପରଲୋକ ୨୦୧୫ ଏପ୍ରିଲ ୨୧ରେ ହୋଇଥିଲା । ଇତିମଧ୍ୟରେ ୩ବର୍ଷ ଅତିକ୍ରାନ୍ତ କଲାଣି । କିନ୍ତୁ ନିର୍ବାଚନ ପୂର୍ବରୁ ପୃଥ୍ୱୀବଲ୍ଲଭଙ୍କ ନିଶାଣ ବର୍ତ୍ତମାନ ବିଜେଡି, ବିଜେପି ଓ କଂଗ୍ରେସ ରେ ହଇଚଇ ସୃଷ୍ଟି କରିଛି । ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଘୋଷଣା କରିନାହାନ୍ତି । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ହିସାବରେ ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୁଅ ଅନଙ୍ଗଉଦୟ ସିଂହଦେଓ, ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ରାଉତରାୟ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁତ୍ର ମଧ୍ୟ ସକ୍ରିୟ ରାଜନୀତିରେ ଅଛନ୍ତି । ୪ଜଣ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ବିଜୁ ଜନତାଦଳରେ ରହି ମନ୍ତ୍ରୀ, ସାଂସଦ ହୋଇଛନ୍ତି । କିନ୍ତୁ ଗିରିଧର ଗମାଙ୍ଗ ଓ ତାଙ୍କ ପୁତ୍ର ବର୍ତ୍ତମାନ ବିଜେପିରେ ଅଛନ୍ତି । ଏଭଳି ସ୍ଥିତିରେ ପୃଥ୍ୱୀବଲ୍ଲଭ କେଉଁ ଆଡକୁ ଢଳିବେ ତାହା ଉପରେ ସମସ୍ତଙ୍କ ଆଖି ରହିଛି । ଅବଶ୍ୟ ଜାନକୀବାବୁଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୁ ଜନତାଦଳରେ ଯୋଗ ଦେଇ ରାଜ୍ୟସଭା ସାଂସଦ ଅଛନ୍ତି । ସେହି ଦୃଷ୍ଟିରୁ ପୃଥ୍ୱୀବଲ୍ଲଭ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଆଲୋଚନା ଜୋର୍ ଧରିଲାଣି । ପୃଥ୍ୱୀବଲ୍ଲଭ ତାଙ୍କ ପିତାଙ୍କ ଆସନ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ଜାନକୀବାବୁ ୨୦୦୪ମସିହାରେ ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟଲାଭ କରିଥିଲେ ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ଏହା ଥିଲା ଜାନକୀବାବୁଙ୍କ ଶେଷ ନିର୍ବାଚନ । ପୂର୍ବରୁ ଜାନକୀ ବାବୁ ୩ ଥର ମୁଖ୍ୟମନ୍ତ୍ରୀ, ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଶେଷ ଜୀବନରେ ଆସାମର ରାଜ୍ୟପାଳ ଭାବେ ୫ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଜାନକୀବାବୁଙ୍କ ଶେଷ ଇଚ୍ଛା କ’ଣ ଥିଲା ତାହା ପୃଥ୍ୱୀବଲ୍ଲଭଙ୍କୁ ଜଣା । କିନ୍ତୁ ଜାନକୀବାବୁ ଜଣେ ଦୃଢ଼ମନା ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ପରେ ଗଣମାଧ୍ୟମରେ ପୃଥ୍ୱୀବଲ୍ଲଭ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ନିଜ ଚିନ୍ତା ଓ ଜ୍ଞାନର ପରିଚୟ ଦେଇଥିଲେ । ଡ. ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ଜାନକୀବାବୁଙ୍କ ଅବର୍ତ୍ତମାନରେ ପୃଥ୍ୱୀବଲ୍ଲଭ ରାଜନୀତିରେ ପାଦ ଥାପିବେ । ଡ. ମହତାବଙ୍କ ପରଲୋକ ପରେ ତାଙ୍କ ପୁତ୍ର ଭର୍ତ୍ତୃହରି ଓ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ । କିନ୍ତୁ ବର୍ତ୍ତମାନ ପୃଥ୍ୱୀବଲ୍ଲଭ ବିଜେଡିରୁ ପ୍ରାର୍ଥୀ ହେଲେ ରାଜ୍ୟର ୫ଜଣ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ବିଜୁ ଜନତାଦଳରେ ସାମିଲ ହେବେ । ଏହା ବର୍ତ୍ତମାନ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ବେଗୁନିଆ ଆସନରେ ପୃଥ୍ୱୀ ବଲ୍ଲଭ ପ୍ରାର୍ଥୀ ହେଲେ ଅନୁକମ୍ପାମୂଳକ ଭୋଟ ପାଇବାକୁ ସକ୍ଷମ ହେବେ । ଜାନକୀବାବୁଙ୍କ ଶୋକସଭାରେ ଯେଉଁଭଳି ସ୍ନେହ ଶ୍ରଦ୍ଧା ବୋଲଗଡ଼ ବେଗୁନିଆବାସୀ ଦେଖାଇଥିଲେ ତାହା ନିଶ୍ଚିତ ଭାବେ ପୃଥ୍ୱୀବଲ୍ଲଭଙ୍କ ପାଇଁ ଆଗାମୀ ନିର୍ବାଚନରେ ଆଶୀର୍ବାଦଯୁକ୍ତ ହେବ । କିନ୍ତୁ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଘୋଷଣା କରିନାହାନ୍ତି । ଅନ୍ୟ ପକ୍ଷରେ ଜାନକୀବାବୁ ଶେଷ ଜୀବନ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ । ପୃଥ୍ୱୀବଲ୍ଲଭଙ୍କୁ କଂଗ୍ରେସରୁ ପ୍ରାର୍ଥୀ ହେବାରେ ଅସୁବିଧା ନାହିଁ । ପିସିସି ସଭାପତି ତାଙ୍କର ସମ୍ପର୍କୀୟ । ଜାନକୀବାବୁଙ୍କ ପୁଅ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ହେଲେ କଂଗ୍ରେସ ଲାଭବାନ ହେବ । ସାରା ଓଡ଼ିଶାରେ ଜାନକୀଙ୍କ ଅନୁଗତ ବ୍ୟକ୍ତି ଅଛନ୍ତି । ପୃଥ୍ୱୀବଲ୍ଲଭ କଂଗ୍ରେସରୁ ପ୍ରାର୍ଥୀ ହେଲେ ଜାନକୀଙ୍କ ସମର୍ଥକମାନେ ଏକଜୁଟ ହୋଇ କଂଗ୍ରେସ ପାଇଁ କାର୍ଯ୍ୟ କରିବେ । କିନ୍ତୁ ପୃଥ୍ୱୀବଲ୍ଲଭ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ବେଗୁନିଆରୁ ବିଜେଡି ରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।