Home ରାଜ୍ୟ କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ବିଭାଗ

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ବିଭାଗ

ଭୁବନେଶ୍ବର :  କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ଖୋଲିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏଠାରେ କର୍କଟ ରୋଗୀଙ୍କୁ ଆବଶ୍ୟକ ସମସ୍ତ ପରୀକ୍ଷା, ଚିକିତ୍ସା ଉପଶମ ସେବା ଆଦି ମାଗଣାରେ ପ୍ରଦାନ କରାଯିବ। ଆଗାମୀ ଦିନରେ ଏଠାରେ ଅଧିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

୨୦୧୬ ମସିହାରୁ ରାଜ୍ୟରେ କମ୍ପ୍ରେହେନ୍‌ସିଭ କର୍କଟ ସେବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ମାଗଣାରେ ପରାମର୍ଶ, କେମୋ‌ଥେରାପି ଓ ଚିକିତ୍ସା ପରବର୍ତୀ ସେବା ପ୍ରଦାନ କରଯାଉଛି। ଏହି ସମସ୍ତ ଡାକ୍ତରଖାନାଗୁଡ଼ିକରେ ୬ ଶଯ୍ୟା ବିଶିଷ୍ଟ ଡେ’ କେୟାର ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୧୧ହଜାର ୩୩୦ଜଣ କର୍କଟ ରୋଗୀ ବହିର୍ବିଭାଗରେ ଚିକିତ୍ସା ପାଇଛନ୍ତି। ଏହାସହ ୧୦ ହଜାର ୨୮୫ଥର ମାଗଣାରେ କେମୋ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗରେ ୨୦୧୬/୧୭ରେ ୩୩୩୮, ୨୦୧୭/୧୮ରେ ୬୫୫୪, ୨୦୧୮/୧୯ରେ ୯୮୦୦ଜଣ ରୋଗୀ ଚିକିତ୍ସା ସୁବିଧା ପାଇଛନ୍ତି। ୫୯୨୪ଥର ବିନା ମୂଲ୍ୟରେ କର୍କଟ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯାଇଛି। ଏହାକୁ ନଜରରେ ରଖି ହସ୍ପିଟାଲ‌ରେ ଏକ ସ୍ବତନ୍ତ୍ର ବିଭାଗ ଖୋଲା ଯାଇଛି।