Home ରାଜ୍ୟ କ୍ଷତିଗ୍ରସ୍ତ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬୦୦ କୋଟିର ପ୍ୟାକେଜ ଘୋଷଣା

କ୍ଷତିଗ୍ରସ୍ତ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬୦୦ କୋଟିର ପ୍ୟାକେଜ ଘୋଷଣା

ଫନୀ ବାତ୍ୟାରେ ଚାଷବାସର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ ପରେ ଚାଷୀଙ୍କ କ୍ଷତିଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରିଲିଫ୍‌ କୋଡ ଅନୁଯାୟୀ ପାରମ୍ପରିକ କୃଷିର କ୍ଷତିଭରଣା ସହିତ ଧାନ, ପନିପରିବା, ଫଳଚାଷ, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ପୁଣିଥରେ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟାରେ କ୍ଷତି ସହିଥିବା ପାନ, କଦଳୀ, ଛତୁଚାଷୀଙ୍କ ସହିତ ଗାଈମଇଁଷି ମୃତୁ୍ୟ ପାଇଁ ପ୍ରଥମ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଏହି ଦୁର୍ବିପାକରେ କ୍ଷତି ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସିଡ୍‌ ମନି ପ୍ରଦାନ କରାଯିବ । ପ୍ରଭାବିତ ଅଞ୍ଚଳରେ ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼ କରିବାକୁ ଘୋଷଣା କରିଛନ୍ତି । ଚାଷୀଙ୍କ ଜଳକର ଓ ଜମି ଖଜଣା ଛାଡ଼ କରାଯାଇଛି ।
ଫନୀରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ଇନ୍‌ପୁଟ ସବ୍‌ସିଡି ବାବଦରେ ଜଳସେଚିତ ଜମି ପାଇଁ ହେକଫର ପିଛା ୧୩ ହଜାର ୫୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ହେକଫର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ । ନଡ଼ିଆ, ଆମ୍ବ, କାଜୁ ଭଳି ପାରମ୍ପରିକ କୃଷି ପାଇଁ ହେକଫର ପିଛା ୧୮ ହଜାର ଟଙ୍କା ମିଳିବ । କୌଣସିବି ପରିସ୍ଥିତିରେ ଜଣେ ଚାଷୀକୁ କୃଷି ଇନ୍‌ପୁଟ ସବ୍‌ସିଡି ବାବଦରେ ଅନୁ୍ୟନ ୧ ହଜାର ଟଙ୍କା ଓ ପାରମ୍ପରିକ କୃଷି ପାଇଁ ୨ ହଜାର ଟଙ୍କାରୁ କମ ସହାୟତା ଦିଆଯିବ ନାହିଁ ।
ଫନୀ ପ୍ରଭାବିତ ଜିଲ୍ଲାରେ ୨୦୧୯-୨୦ ବର୍ଷ ପାଇଁ ୧ ଲକ୍ଷ ପନିପରିବା ମିନିକିଟ୍‌ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରଥମ କରି ଅର୍ଥକାରୀ ଫସଲ ପାନବରଜ କ୍ଷତି ପାଇଁ ୫ ହଜାର ପାନଚାଷୀ କିମ୍ବା ପାନବରଜ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ୧ ହଜାର ଛତୁଚାଷ ୟୁନିଟ୍‌ ପାଇଁ ନଡ଼ାକାମ ଓ ଜାଲ କିଣିବା ପାଇଁ ୟୁନିଟ ପିଛା ୪୦ ହଜାର ଟଙ୍କା ପ୍ରଦାନ କରାଯିବ । ୧୬୫୦ ହେକଫର ପରିମିତ ଅଞ୍ଚଳର କଦଳୀ ଚାଷ ପାଇଁ ହେକଫର ପିଛା ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାତ୍ୟାରେ ମୃତୁ୍ୟ ହୋଇଥିବା ପ୍ରତି ଗାଈ ଓ ମଇଁଷି ପାଇଁ ୩୦ ହଜାର, ପ୍ରତି ବାଛୁରି ପିଛା ୧୬ ହଜାର ଟଙ୍କା ହିସବାରେ ୬ଟି ବାଛୁରି ପାଇଁ ସହାୟତା ମିଳିବ । ପ୍ରତି ଛେଳି ପାଇଁ ୩ ହଜାର ଟଙ୍କା ଲେଖାଏଁ ସର୍ବାଧିକ ୩୦ଟି ପାଇଁ କ୍ଷତିପୂରଣ ମିଳିବ । ପ୍ରତି ମୃତ କୁକୁଡ଼ା ପାଇଁ ୫୦ ଟଙ୍କା ଲେଖାଏଁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ଏହା ସହ ୫୦ ହଜାର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗାଈ ଗୁହାଳ ନିର୍ମାଣ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତ ଯୋଗାଇ ଦିଆଯିବ । ୨୦ ହଜାର ଛେଳି ଗୁହାଳ ନିର୍ମାଣ ପାଇଁ ପ୍ରତି
ଗୁହାଳ ପିଛା ମିଳିବ ୩୦ ହଜାର ଟଙ୍କା । ପ୍ରଭାବିତ ଜିଲ୍ଲାରେ ଚାଷୀଙ୍କୁ ପ୍ରଶିକ୍ଷିତ କରିବା ପାଇଁ ୫୦ ହଜାର ଏକର ଜମିକୁ ବିଭିନ୍ନ କିସମର ଖରିଫ୍‌ ଫସଲ କରିବାକୁ ଯୋଜନା କରାଯାଇଛି । ସେହିପରି ଆଖୁଚାଷୀଙ୍କ ପାଇଁ ଥିବା ନିରନ୍ତର ଆଖୁଚାଷ ଯୋଜନାରେ ବିଭିନ୍ନ କିସମର ଆଖୁଚାଷ ପାଇଁ ହେକଫର ପିଛା ୨୦ ହଜାର ଟଙ୍କା ଓ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ସର୍ବାଧିକ ୧୫ ହଜାର ଟଙ୍କା କିମ୍ବା ୫୦ ପ୍ରତିଶତ ସବ୍‌ସିଡିରେ ଚାଷୀଙ୍କୁ ୫ ହଜାର ପମ୍ପସେଟ୍‌ ଯୋଗାଇ ଦିଆଯିବ । ଫନୀ ପ୍ରଭାବିତ ଜିଲ୍ଲାରେ ୧୦ ହଜାର ସ୍ପ୍ରେୟର ୫୦% ରହି ।ତି କିମ୍ବା ସର୍ବାଧକ ୩୮୦୦ ଟଙ୍କା ସବ୍‌ସିଡିରେ ଚାଷୀଙ୍କୁ ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି । ଚାଷୀଙ୍କୁ କୃଷି ଯନ୍ତ୍ରପାତି କିଣାରେ ୧୫୦ କୋଟି ଟଙ୍କାର ସବ୍‌ସିଡି ଦେବାକୁ ସରକାର ନିଷ୍ପତ୍ତି
ନେଇଛନ୍ତି । ୫୦ ହଜାର ଚାଷୀଙ୍କୁ ପ୍ରତ୍ୟେକ ୫ଟି ଲେଖାଏଁ ଆମ୍ବ ଓ ନଡ଼ିଆ ଚାରା ଯୋଗାଇ ଦିଆଯିବ । ୧୦ ହଜାର ହେକଫର ଜମିରେ ପାରମ୍ପରକି ଫଳ ଚାଷ ଯେପରି ଆମ୍ବ, ନଡ଼ିଆ ଓ କାଜୁ ଆଦି ଫଳଚାଷ ପାଇଁ ସରକାର ଆର୍ଥିକ ସହାୟତା ୩ ବର୍ଷ ପାଇଁ ପ୍ରଦାନ କରିବେ ।

ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁ ଚାଷୀଙ୍କର ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବ ସେସବୁ ଚାଷୀ ରବିଋତୁ ପାଇଁ ନେଇଥିବା ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ । ଏହି ଋଣ ଅବଧିକୁ ୨୦୨୦ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ପୂର୍ବରୁ ଋଣ ନେଇଥିବା ଜଣେ କେହି ବି ଭାଗଚାଷୀ ଓ ନାମମାତ୍ର ଚାଷୀ ଖରିଫ୍‌ ଋତୁ ପାଇଁ ଋଣ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥି ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ବୀମା
ଅର୍ଥ ପ୍ରଦାନରେ ଯେପରି ବିଳମ୍ବ ନହୁଏ ସେଥି ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଚାଷୀମାନେ ମଧ୍ୟମ ଅବଧି ଋଣ ନିୟମିତ ପରିଶୋଧ କରୁଥିବେ ସେମାନଙ୍କୁ ସୁଧ ଉପରେ ୩ ପ୍ରତିଶତ ପ୍ରୋତ୍ସାହନ ଫେରସ୍ତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ସ୍ୱତନ୍ତ୍ର ପ୍ୟାକେଜ ଅନୁଯାୟୀ ସମୁଦ୍ର ଓ ଚିଲିକା ମତ୍ସ୍ୟଜୀବୀଙ୍କୁ ସହାୟତା ବାବଦରେ ୬ ହଜାର ନୂଆ ସମୁଦ୍ର ମାଛଧରା ବୋଟ କିଣିବା ପାଇଁ ପ୍ରତି ବୋଟ କିଣା ବାବଦରେ ୮୦ ହଜାର ଟଙ୍କାରୁ ୫୦ ପ୍ରତିଶତ ସରକାର ବହନ କରିବେ । ସେହିପରି ୩ ହଜାର ଜାଲ କିଣିବା ପାଇଁ ପ୍ରତି ଜାଲ କିଣା ବାବଦରେ ୨୦ ହଜାର ଟଙ୍କାରୁ ସରକାର ୫୦
ପ୍ରତିଶତ ବହନ କରିବେ । ଅନ୍ୟ ପଟେ ମଧୁରଜଳ ମତ୍ସ୍ୟଜୀବୀଙ୍କ ପାଇଁ ୫୦୦ଟି ବୋଟ୍‌ କିଣା ବାବଦରେ ପ୍ରତି ବୋଟ ପିଛା ୩୦ ହଜାର ଟଙ୍କାରୁ ୫୦ ପ୍ରତିଶତ ଓ ୫୦୦ ଜାଲ କିଣା ବାବଦରେ ପ୍ରତି ଜାଲ ପିଛା ୨୦ ହଜାର ଟଙ୍କାରୁ ୫୦ ପ୍ରତିଶତ ସରକାର ବହନ କରିବେ । ୫୦୦ ହେକଫର ପରିମିତ ଅଞ୍ଚଳରେ ମଧୁର ଓ କ୍ଷାରଯୁକ୍ତ ଜଳରେ ମାଛଚାଷ କରିଥିବା ଚାଷୀଙ୍କୁ ବନ୍ଧ ମରାମତି ବାବଦରେ ହେକଫର ପିଛା ୧୨ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ । ହସ୍ତତନ୍ତ ଓ
ବୟନଶିଳ୍ପ କ୍ଷତି ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବାତ୍ୟାରେ ପ୍ରଭାବିତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଅତିରିକ୍ତ ସିଡ୍‌ ମନି ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।