Home ରାଜ୍ୟ ଆଜି ଓଡ଼ିଶା ବନ୍ଦ : ନବନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ...

ଆଜି ଓଡ଼ିଶା ବନ୍ଦ : ନବନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା  ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନର ପ୍ରଭାବ ଭୁବନେଶ୍ୱର କଟକ ରୋଡରେ ଦେଖିବାକୁ ମିଳିଛି । କଟକ ରୋଡରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ରାସ୍ତାରେ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦକୁ ସମର୍ଥନ କରିବା ପାଇଁ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ବନ୍ଦ୍ ପାଳନକାରୀ ବୁଝାଉଥିବା ଦେଖିବାକୁ ମିଳିଛି । ସେପଟେ ମାଷ୍ଟରକ୍ୟାଂଟିନରେ ମଧ୍ୟ ନବ ନିର୍ମାଣ ସଂଗଠନର କିଛି ସଦସ୍ୟ ବନ୍ଦ ପାଳନ କରିଛନ୍ତି । ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଦାବିରେ ପିକେଟିଂ କରିଛନ୍ତି ।

ଆସନ୍ତା ଶୁକ୍ରବାରଠାରୁ ମାଟି୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ରାଜ୍ୟ ସରକାର ଦୁଇଥର ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ନବ ନିର୍ମାଣ କୃଷକ ସଙ୍ଗଠନ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିନାହିଁ। ସଙ୍ଗଠନର ଆବାହକ ଅକ୍ଷୟ କୁମାର ବୁଧବାର ଖବରଦାତା ସମ୍ମିଳନୀ କରି ଆନ୍ଦୋଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

ଅପରପକ୍ଷରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ଏବଂ ଆନୁଷଙ୍ଗିକ ସାମଗ୍ରୀ ନୋଡାଲ ସେଣ୍ଟରଗୁଡିକରେ ପହଞ୍ଚିସାରିଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ବନ୍ଦ ଯୋଗୁ ପରୀକ୍ଷା ବାଧାପ୍ରାପ୍ତ ହେବା ସମ୍ଭାବନା କମ୍‌ ବୋଲି କୁହାଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଦୋଳନ ବନ୍ଦ ନ କରିବାକୁ ଅକ୍ଷୟ ଠିକ୍‌ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ସଂଗଠନ ସହ କୌଣସି ଆଲୋଚନା ନ କରି ଦୁଇଦିନ ହେବ କେବଳ ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ତେଣୁ ଚାଷୀଙ୍କ ପ୍ରତି ସରକାରଙ୍କ କୌଣସି ଆନ୍ତରିକତା ଥିବା ମନେ ହେଉନାହିଁ। ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରାକୁ ବିରୋଧୀ କଂଗ୍ରେସ ଏବଂ ଭାଜପା ପକ୍ଷରୁ ସମର୍ଥନ ଦିଆଯାଇଛି।