ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବର୍ତ୍ତମାନ ରାଜ୍ୟବାସୀଙ୍କ ସ୍ୱାର୍ଥ ପଛରେ ପଡିଛି । ଲୋକଙ୍କ ସ୍ୱାର୍ଥକୁ ଆଳ କରି ବର୍ତ୍ତମାନ ପ୍ରମୁଖ ନେତାମାନେ ନିଜ ଉତ୍ତରାଧିକାରୀଙ୍କୁ ଥଇଥାନ କରିବା ଚିନ୍ତାରେ ଅଛନ୍ତି । ଲୋକଙ୍କ ସମସ୍ୟା ଯେତେ ସମାଧାନ କଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ହୋଇ ରହିଯିବ । କିନ୍ତୁ ନିର୍ବାଚନ ପୂର୍ବରୁ ନିଜ ଉତ୍ତରାଧିକାରୀମାନଙ୍କୁ ଥଇଥାନ ନ କଲେ ତାହା ନେତାମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିବ । ସେଥିପାଇଁ ଦଳ ପଛରେ ଉତ୍ତରାଧିକାରୀଙ୍କ ସ୍ୱାର୍ଥ ଆଗରେ ବୋଲି ରାଜ୍ୟ ରାଜନୀତିରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଅତୀତରେ ଯେଉଁ କେତେଜଣ ବରିଷ୍ଠ ନେତା ରାଜନୀତିରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେମାନେ ନିଜ ଉତ୍ତରାଧିକାରୀମାନଙ୍କୁ ରାଜନୀତିରୁ ଦୂରେଇ ରଖିଥିଲେ । କିନ୍ତୁ ୮୦ଦଶକ ପରଠାରୁ ରାଜନୀତିରେ ଉତ୍ତରାଧିକାରୀଙ୍କୁ ଥାପିବା ଏକ ନୀତିରେ ପରିଣତ ହୋଇଛି । ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂ ଦେଓ, ସଦାଶିବ ତ୍ରିପାଠୀ, ବୀରେନ ମିତ୍ର ପ୍ରମୁଖ ନେତାମାନେ ସେତେବେଳେ ଜନଗଣଙ୍କ ଅଖଣ୍ଡ ବିଶ୍ୱାସକୁ ପାଥେୟ କରି ରାଜନୀତି କରୁଥିଲେ । ନିଜ ପରିବାରକୁ ପଛରେ ପକାଇ ଲୋକଙ୍କ ସ୍ୱାର୍ଥକୁ ଆଗରେ ରଖୁଥିଲେ । ରାଜନୀତିରେ ଉତ୍ତରାଧିକାରୀ ସୃଷ୍ଟି କରିବା ସେମାନଙ୍କ ଚିନ୍ତାଶକ୍ତିର ବାହାରେ ଥିଲା । ଯେଉଁଥିପାଇଁ ପ୍ରମୁଖ ନେତାମାନଙ୍କ ପରଲୋକ ପରେ ତାଙ୍କ ପୁତ୍ରମାନେ ରାଜନୀତିରେ ପାଦ ଥାପିଛନ୍ତି । କିନ୍ତୁ ୧୯୮୦ମସିହା ପରଠାରୁ କ୍ଷମତାସୀନ ନେତାଙ୍କ ପୁତ୍ରମାନେ ରାଜନୀତିରେ ପାଦ ଥାପିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ରଞ୍ଜିବ ବିଶ୍ୱାଳ କଂଗ୍ରେସ କ୍ଷମତାରେ ଥିଲାବେଳେ ରାଜନୀତିରେ ପାଦ ଥାପି ନିଜର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପାଇଁ ବର୍ତ୍ତମାନର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନିଜର ଉତ୍ତରାଧିକାରୀଙ୍କୁ କିଭଳି ଟକଟ ମିଳିବ ସେହି ଚିନ୍ତାରେ ଛଟପଟ ହେଉଛନ୍ତି । ଯେତେବେଳେ ଏଭଳି ନେତାମାନେ ନିଜର ଉତ୍ତରାଧିକାରୀଙ୍କୁ ରାଜନୀତିରେ ପ୍ରବେଶ ପାଇଁ ଚିନ୍ତିତ ସେତେବେଳେ ଲୋକଙ୍କ ସମସ୍ୟା ଅଣଦେଖା ହେବା ସ୍ୱାଭାବିକ । ଏଭଳି ତାଲିକାରେ କଂଗ୍ରେସ ବିଜେଡିର ନେତାମାନଙ୍କ ସଂଖ୍ୟା ଢେର ଅଧିକ । ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡା. ଦାମୋଦର ରାଉତ ନିଜ କନ୍ୟା ପ୍ରୀତିନନ୍ଦା ରାଉତରାୟଙ୍କୁ କର୍ପୋରେଟର କରିଥିବାବେଳେ ନିଜ ପୁତ୍ର ସମ୍ବିତ ରାଉତରାୟଙ୍କୁ ରାଜନୀତିରେ ଥାପିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଅନଙ୍ଗ ଉଦୟ ସିଂଦେଓ, ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରମୁଖ ନେତାମାନେ ନିଜର ଉତ୍ତରାଧିକାରୀଙ୍କୁ କିଭଳି ଟିକଟ ମିଳିବ ସେହି ଚିନ୍ତାରେ ଅଛନ୍ତି । ଅଧିକନ୍ତୁ କଂଗ୍ରେସରେ ମଧ୍ୟ ଏଭଳି ନେତାଙ୍କ ସଂଖ୍ୟା ଯଥେଷ୍ଟ ରହିଛି । କଂଗ୍ରେସ ବିଧାୟକ ନବ ଦାସ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଉତ୍ତରାଧିକାରୀଙ୍କୁ ଟିକଟ ପାଇଁ ବିଶେଷ ଭାବେ ଚିନ୍ତିତ ଥିବାବେଳେ ବିଧାୟକ ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ନିଜ ସ୍ଥିତି ରକ୍ଷା ପାଇଁ ଗୋଟି ଚାଳନା ଚଳାଇଛନ୍ତି । ବର୍ତ୍ତମାନ ଦଳ ପଛେ ପାଣିରେ ଭାସିଯାଉ ନିଜ ଉତ୍ତରାଧିକାରୀ ବିଧାୟକ ହୁଅନ୍ତୁ ଏହି ଚିନ୍ତା ବର୍ତ୍ତମାନ ନେତାମାନଙ୍କୁ ଘାରିଛି । ଯେଉଁଥିପାଇଁ ଦଳବଦଳ କରିବାକୁ ନେତାମାନେ କୁଣ୍ଠିତ ହେଉନାହାନ୍ତି । ଦଳବଦଳ ପଛରେ ରହିଛି ଉତ୍ତରାଧିକାରୀ ଥଇଥାନ । ଯେଉଁଥିପାଇଁ ନେତାମାନଙ୍କର ଦଳ ଉପରେ ବିଶ୍ୱାସ ନ ଥିବାବେଳେ ଦଳମାନଙ୍କରେ ମଧ୍ୟ ନେତାମାନଙ୍କ ଉପରୁ ଏଥିପାଇଁ ତୁଟିତୁଟି ଯାଉଛି । ପୂର୍ବେ ରାଜାମାନେ ଯେଭଳି ବୟସାଧିକ କାରଣରୁ ନିଜର ଉତ୍ତରାଧିକାରୀଙ୍କୁ ଘୋଷଣା କରାଇଥାନ୍ତି ଓ ଅଭିଷେକ କରାଇଥାନ୍ତି ଠିକ୍ ସେହି ଢଙ୍ଗରେ ବର୍ତ୍ତମାନ ରାଜନେତାମାନେ ଅଛନ୍ତି । ନିଜେ ଥାଉଥାଉ ନିଜର ଉତ୍ତରାଧିକାରୀମାନଙ୍କୁ ବିଧାୟକ ରୂପେ ଦେଖିବାକୁ ଇଚ୍ଛୁକ । ରାଜତନ୍ତ୍ର ଭଳି ବର୍ତ୍ତମାନ ଉତ୍ତରାଧିକାରୀଙ୍କୁ ଅଭିଷେକ କରାଇବା ନୀତି ଗଣତନ୍ତ୍ରରେ ଦେଖିବାକୁ ମିଳିଛି । ଏଭଳି ଘଟଣା କେବଳ ଆମ ରାଜ୍ୟରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଆମ ରାଜ୍ୟର ନେତାମାନେ ଅଧିକ ଉତ୍ସାହିତ ହୋଇ ୨୦୧୯ ନିର୍ବାଚନରେ ଉତ୍ତରାଧିକାରୀଙ୍କୁ ବିଧାୟକ ପଦରେ ଅଭିଷେକ କରାଇବା ଲକ୍ଷ୍ୟରେ ଅଛନ୍ତି । ଯେତେବେଳେ ନେତା ଉତ୍ତରାଧିକାରୀଙ୍କ ଚିନ୍ତାରେ ଚିନ୍ତିତ ସେତେବେଳେ ଭୋଟରଙ୍କ ସ୍ୱାର୍ଥକୁ ପଚାରେ କିଏ?