Home ରାଜ୍ୟ ଆଜି ୨୨ତମ ବାଚସ୍ପତି ଭାବେ ଦାୟିତ୍ବ ନେବେ ସୂର୍ଯ୍ୟ ପାତ୍ର

ଆଜି ୨୨ତମ ବାଚସ୍ପତି ଭାବେ ଦାୟିତ୍ବ ନେବେ ସୂର୍ଯ୍ୟ ପାତ୍ର

ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ବଛାଯିବେ। ଏ ନେଇ ଆଜି ବିଧାନସଭା ଗୃହରେ ପ୍ରାଥମିକ ଔପଚାରିକତା ସମ୍ପନ୍ନ କରାଯାଇଛି।

 

ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଆଗତ କରିଥିଲେ। ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆବେଦନ କରିବାକୁ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଉଥିବା ଅସ୍ଥାୟୀ ବାଚସ୍ପତି ଅମର ପ୍ରସାଦ ଶତପଥୀ ଗୃହରେ ଘୋଷଣା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ନେଇ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶ୍ରୀ ପାତ୍ରଙ୍କ ନାମ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପ୍ରସ୍ତାବ ଆଣିବା ସହ ନିଜେ ସମର୍ଥନ ମଧ୍ୟ କରିଥିଲେ। ପରେ ଔପଚାରିକ ଭାବେ ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭା ସଚିବଙ୍କ ପାଖରେ ଆବେଦନ କରିଥିଲେ। ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ବିଧାୟକ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇନାହିଁ। ସେ ଦୃଷ୍ଟିରୁ ଆସନ୍ତାକାଲି ପୂର୍ବତନ ମନ୍ତ୍ରୀ ଶ୍ରୀ ପାତ୍ର ସର୍ବସମ୍ମତି କ୍ରମେ ବିଧାନସଭାର ବାଚସ୍ପତି ଭାବେ ବଛାଯିବେ ବୋଲି ଜଣାପଡ଼ିଛି। ୨୨ତମ ବାଚସ୍ପତି ଭାବେ ଶ୍ରୀ ପାତ୍ର ଦାୟିତ୍ବ ନିର୍ବାହନ କରିବେ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ବାଚସ୍ପତି ଚୟନ ନେଇ ଏକ ପ୍ରସ୍ତାବ ଆଗତ କରିବେ। ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ କରିବେ। ପରେ ଯଦି ବିରୋଧୀ ଚାହିଁବେ ତାହେଲେ ଏଥିପାଇଁ ଡିଭିଜନ ଭୋଟ କରିବା ପାଇଁ ଦାବି କରିପାରିବେ।