Home ଦେଶ- ବିଦେଶ ଲୋକ ସଭାରେ ଆଗତ ହେଲା ଟ୍ରିପଲ୍‌ ତଲାକ୍‌ ବିଲ୍‌

ଲୋକ ସଭାରେ ଆଗତ ହେଲା ଟ୍ରିପଲ୍‌ ତଲାକ୍‌ ବିଲ୍‌

ନୂଆଦିଲ୍ଲୀ: ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବା ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଶୁକ୍ରବାରଠାରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହକାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ତିନି ତଲାକ ବିଲ୍‌ ଆଗତ କରାଯାଇଥିଲା। ମହିଳାଙ୍କୁ ନ୍ୟାୟ ଦେବାରେ ଏହା ଏକ ବଡ ପଦକ୍ଷେପ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି। ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ନାମରେ ନାମିତ ଏହି ବିଲ ଲୋକ ସଭାରେ ଆଗତ ହେବାପରେ ବିରୋଧୀ ହଙ୍ଗାମା କରିଥିଲେ। ବିଜେପି ସାଂସଦ ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଆଗତ କରିଥିଲେ। କିନ୍ତୁ ଏହାକୁ କଂଗ୍ରେସ ବିରୋଧ କରିଛି। ଥିରୁଭାନନ୍ଥପୁରମରୁ ନିର୍ବାଚିତ କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ବିରୋଧ କରିବା ସହିତ ଏଥିରେ ରହିଥିବା ଅନେକ ବିଷୟ ସମ୍ବିଧାନ ବିରୋଧୀ ବୋଲି ଅଭି​‌ଯୋଗ କରିଥିଲେ। ଏହାଦ୍ୱାରା ମୁସଲିମ୍‌ ପୁରୁଷଙ୍କୁ କେବଳ ଦଣ୍ଡ ମିଳିବ। ସୂଚନାଯୋଗ୍ୟ,୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ବିଲ୍‌ ହେବ। ଗତ ଏନଡିଏ ସରକାର ସମୟରେ ମଧ୍ୟ ଏହି ବିଲ୍‌ ଆସିଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇପାରି ନ ଥିଲା। ଏହି ବିଲ ପାରିତ ହେଲେ ତିନି ଥର ତଲାକ କହି ଛାଡପତ୍ର ଦେଉଥିବା ମୁସଲିମ ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ। ସେହିପରି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓୱେସୀ ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ।