Home ରାଜ୍ୟ ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍

32

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ି ଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି ।

ଗଜପତିରେ ଜଣେ ୪୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଜଣେ ୬୪ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଜିଲ୍ଲାରୁ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ଜଣଙ୍କ ଜୀବନ ନେଲାଣି ଏହି ମହାମାରୀ ।

ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭ ଜଣଙ୍କ ଜୀବନ ଯାଇଛି । କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ବାଲେଶ୍ବରରୁ ମଧ୍ୟ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ କରୋନା ଯୋଗୁଁ ନୁହେଁ ଓ ଅନ୍ୟ କାରଣରୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।