ଭୁବନେଶ୍ୱର: ଗତ ବର୍ଷ ନଭେମ୍ବର ୩୦ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସହିତ ସେ ଦଳରୁ ଇସ୍ତଫା ଦେଇଥିଲେ। ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଆଜି ପୁଣି ଭାରତୀୟ ଜନତା ପାର୍ଟିକୁ ଫେରି ଆସିଛନ୍ତି।  ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜୟ ମହାପାତ୍ରଙ୍କ ମିଶ୍ରଣ ପର୍ବ ଚାଲିଛି। ‘‘ମୁଁ ବିଜେପିକୁ ଫେରିଲି’’ ବୋଲି ଶ୍ରୀ ମହାପାତ୍ର ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ ନେଇ ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମିଳିତ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ଶ୍ରୀ ମହାପାତ୍ରଙ୍କ ସହ ଏହି ଦୁଇ ନେତାଙ୍କର ଦୀର୍ଘ ଅଢେଇ ଘଣ୍ଟା କାଳ ଆଲୋଚନା ପରେ କରାଯାଇଛି। ପୁରୁଣା କଥା ଭୁଲି ନୂଆ ରାସ୍ତାରେ ଯିବା’’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ତେବେ ଦଳରେ ତାଙ୍କୁ କେଉଁ ପଦ ଦିଆଯିବ ଏବଂ କେଉଁଠାରୁ ଦଳୀୟ ପ୍ରାର୍ଥୀ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ଆସୁଛନ୍ତି। ସେହି ସଭାରେ ଶ୍ରୀ ମହାପାତ୍ର ରହିବେ ବୋଲି ଜଣାଯାଇଛି।
ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁବାର ନିର୍ବାଚିତ ହୋଇଥିବା ଶ୍ରୀ ମହାପାତ୍ର ଉତ୍କଳ କଂଗ୍ରେସ , ଜନତା ପାର୍ଟି ଓ ଜନତା ଦଳରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। । ୨୦୧୪ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ମହାକାଳପଡ଼ା ଆସନରୁ ଲଢିଥିଲେ। ତେବେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ  ହାରି ଯାଇଥିଲେ।   ଗତ ବର୍ଷ ନଭେମ୍ବର ୩୦ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସହିତ ସେ ଦଳରୁ ଇସ୍ତଫା ଦେଇଥିଲେ।