Home ରାଜ୍ୟ ବିଜେପି ନେତା କୁଳମଣି ଓ ସହଯୋଗୀଙ୍କୁ ହତ୍ୟା ପଛରେ କିଏ ?

ବିଜେପି ନେତା କୁଳମଣି ଓ ସହଯୋଗୀଙ୍କୁ ହତ୍ୟା ପଛରେ କିଏ ?

ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି। ହତ୍ୟାକାଣ୍ଡ ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି କୁଳମଣିଙ୍କ ପୁଅ।

ଏହି ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି। ଆଜି ସାମ୍ବାଦିକ ସମ୍ମଳନୀ କରି ବିଜେଡିକୁ ଟାର୍ଗେଟ କରିବା ସହିତ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି। ଏତଲାରେ କୁଳମଣିଙ୍କ ପୁଅ ବିଧାୟକଙ୍କୁ ଦୋଷାରୋପ କରୁଥିବାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ସମୀର କହିଛନ୍ତି। ଆଉ ଯଦି ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ସମୀର କହିଛନ୍ତି।

ଅନ୍ୟପଟେ ଏହି ଘଟଣାରେ କାଲି ଠାରୁ କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ବିକ୍ଷୋଭ କରିବ। ଏନେଇ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ସେହିପରି କୁଳମଣିଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି କଡ଼ା ପ୍ରତିକ୍ରିୟା ରଖିବା ସହିତ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ସେ ଦାବି କରିବା ସହିତ ଏତଲାରେ ପ୍ରତାପ ଜେନାଙ୍କ ନାଁ ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ ବୋଲି ସେ ଟ୍ୱିଟ୍ କରିଛନ୍ତି।

ବିଜେଡୁ ଟାର୍ଗେଟ କରି ଏଠାରେ ପଶ୍ଚିମବଙ୍ଗ ଢାଂଚାରେ ଶାସନ ଚାଲିଥିବା ଅଭିଯୋଗ କରିଛି ଦଳ। ମନ୍ତ୍ରୀ ପ୍ରତାପ ଜେନା ବି ଘଟଣାକୁ ନିନ୍ଦା କରିବା ସହ ଦୋଷୀ କେମିତି ଦଣ୍ଡ ପାଇବ ସେ ନିଜେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଅପରପକ୍ଷରେ ପୋଲିସ୍ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଆରମ୍ଭ ହୋଇଛି।

ଗତକାଲି ସଂଧ୍ୟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଟଳି ପଡ଼ିଥିଲେ ବିଜେପି ନେତା ତଥା ମାହାଙ୍ଗା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ। ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ, ୭୫ ବର୍ଷିୟ କୁଳମଣି ବରାଳ ଓ ୮୦ ବର୍ଷିୟ ଦିବ୍ୟସିଂହ। ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ଦୁହିଁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ପରେ ମାହାଙ୍ଗା ହସ୍ପିଟାଲ୍‌ରେ କୁଳମଣି ଓ କଟକ ବଡ଼ ମେଡିକାଲ୍‌ରେ ପ୍ରାଣ ହରାଇଥିଲେ ଦିବ୍ୟସିଂହ। ପୋଲିସ୍ ଆଜି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ୍ ଗଠନ କରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। କୁଳମଣିଙ୍କ ହତ୍ୟା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ଥିବା ସଂଗୀନ ଅଭିଯୋଗ ଆଣିଛନ୍ତି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।

ଏନେଇ ରମାକାନ୍ତ କହିଛନ୍ତି ” ସରକାରୀ ଦଳର ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଦ୍ୱାରା ଏମିତି ହୋଇଛି। ସମ୍ପୂର୍ଣ୍ଣ ଭାବରେ ଏଥିରେ ଆଇନ୍‌ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କରି ନିର୍ଦ୍ଦେଶରେ ଏସବୁ ହୋଇଛି।” ଏହି ଘଟମାରେ ମୃତକଙ୍କ ପରିବାର ପକ୍ଷରୁ ୧୨ ଜଣଙ୍କ ନାଁରେ ଥାନାରେ ଏତାଲା ଦିଆଯାଇଛି। ପୋଲିସ ଜଣକୁ ଅଟକ ରଖି ଜେରା ଚଳାଇଛି।

ଘଟଣାର ତଦନ୍ତ ଚାଲିଥିବା ବେଳେ କଟକ ଗ୍ରାମାଞ୍ଚଳ ଏସ୍‌ପି ଭି. ଯୁଗଳ କିଶୋର କହିଛନ୍ତି “ଏହି ମାମଲାରେ ୫ଟି ମଲ୍‌ଟିପୁଲ ଟିମ୍‌ ଗଠନ କରାଯାଛି। ୫ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଛି। ଆଶା ଅଛି ଯେ ସମସ୍ତ ଅଭିଯୁକ୍ତ ଧରାପଡ଼ିବେ। ତଥ୍ୟ ପ୍ରମାଣ ସହିତ ଯେଉଁମାନେ ଏହି ଘଟଣାରେ ସାମିଲ୍ ଥିବେ ସେମାନଙ୍କୁ ଗରିଫ କରାଯିବ କାହାରିଙ୍କୁ ଛଡ଼ାଯିବ ନାହିଁ।”