Home ରାଜ୍ୟ ମହିଳାଙ୍କ ସଶକ୍ତୀକରଣ ଉପରେ ପୁଣି ନବୀନଙ୍କ ଫୋକସ୍ : ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ...

ମହିଳାଙ୍କ ସଶକ୍ତୀକରଣ ଉପରେ ପୁଣି ନବୀନଙ୍କ ଫୋକସ୍ : ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ ବିଜେଡି

ଭୁବନେଶ୍ବର : ବିଜେଡି କଥାରେ ନୁହେଁ କାମରେ ବିଶ୍ବାସ କରେ ବୋଲି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି । ଆଜି ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜେଡି ସୁପ୍ରିମୋ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି ନିର୍ବାଚନ ବେଳେ ଜାତୀୟ ଦଳ ବଡ ବଡ କଥା କୁହନ୍ତି ମାତ୍ର ବିଜେଡି ତାହାକୁ କାମରେ କରିଦେଖାଏ ।

ମହିଳାଙ୍କ ଉପରେ ଅଧିକ ଫୋକସ୍‌ ଦେଇଛି ବିଜେଡି ସରକାର । ନବୀନ କହିଛନ୍ତି ଯେ, ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ ବୋଲି ନବୀନ କହିଛନ୍ତି । ମହିଳାଙ୍କୁ ହକ୍‌ ମିଳିବା ଦରକାର । ମହିଳା ସଶକ୍ତିକରଣକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ନବୀନ କହିଛନ୍ତି । ମା’-ଭଉଣୀ ଆଗକୁ ଆସିଲେ ରାଜ୍ୟର ବିକାଶ ନିଶ୍ଚିତ ହେବ ।

ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କୁ ଦେବାକୁ ଲଢେଇ କରୁଛି ବିଜେଡି । ମହିଳାଙ୍କୁ ହକ୍‌ ମିଳିବା ଦରକାର ବୋଲି ନବୀନ କହିଛନ୍ତି । ଏଥିପାଇଁ ଜାତୀୟ ସ୍ତରରେ ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି । ମା’ ଆଗେଇଲେ ଦେଶ ଆଗେଇବ ବୋଲି ନବୀନ ତାଙ୍କ ଉଦବୋଧନରେ କହିଛନ୍ତି ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଟ୍ବିଟ୍ ରେ ନବୀନ ଲେଖିଛନ୍ତି, ‘ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା । ଆପଣଙ୍କ ଅକୁଣ୍ଠ ଭଲପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ ବିଜୁ ଜନତା ଦଳ ଓଡିଶା ଲୋକମାନଙ୍କ ଦଳ ସାଜିଛି । ଆସନ୍ତୁ ଏହି ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ।’