ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଭତ୍ତା । ଅଗଷ୍ଟ ୩୧ ଯାଏ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ରନ୍ଧା ଖର୍ଚ୍ଚ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୭ରୁ ଜୁନ୍ ୧୩ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଜୁନ୍ ୧୪ରୁ ଅଗଷ୍ଟ ୩୧ ଯାଏ ଟଙ୍କା ମିଳିବ । ଏନେଇ ବିଭାଗ ପକ୍ଷରୁ ଏମ୍ଡିଏମ୍ ରାଜ୍ୟ ନୋଡାଲ୍ ଅଫିସର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ୫୭ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲ ପରିଚାଳନା କମିଟି (ଏସ୍ଏମ୍ସି) ଉପସ୍ଥିତିରେ ପ୍ରଧାନ ଶିକ୍ଷକମାନେ ସ୍କୁଲରେ ପିଲାଙ୍କୁ ବାଣ୍ଟିବେ । ଚାଉଳ ବ୍ୟତୀତ ରୋଷେଇ ପାଇଁ ହେଉଥିବା ଖର୍ଚ୍ଚ ଟଙ୍କା ସିଧାସଳଖ ପିଲା ବା ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ । କୋଭିଡ୍-୧୯ ନିୟମ କଡାକଡି ଭାବେ ପାଳନ କରି ପିଲାଙ୍କୁ ଚାଉଳ ଦିଆଯିବ । ଯଦି ସ୍କୁଲରେ ପିଲାଙ୍କୁ ବାଣ୍ଟିବା ପରେ ଚାଉଳ ବଳିପଡିଲା ତେବେ ସିଆର୍ସିସିମାନେ ଚାଉଳ ନିଅଣ୍ଟ ହେଉଥିବା ନିକଟତମ ସ୍କୁଲକୁ ପଠାଇବେ । ଯଦି କୌଣସି ସ୍କୁଲରେ ଚାଉଳ ନିଅଣ୍ଟ ହୁଏ ତେବେ ଅଭିଭାବକଙ୍କୁ କୁପନ୍ ଦିଆଯିବ । ପୂର୍ବଭଳି ସେମାନେ ନିକଟସ୍ଥ ଇପିଏସ୍ ବା ପିଡିଏସ୍ ଆଉଟ୍ଲେଟ୍ରୁ ଚାଉଳ ସଂଗ୍ରହ କରିପାରିବେ । ଯଦି ସ୍କୁଲରେ ହୋଇଥିବା ସଂଗରୋଧ କେନ୍ଦ୍ର, ଟିଏମ୍ସି, କୋଭିଡ୍ କେୟାର ହୋମ୍ ଖାଲି ହୋଇଯାଇଥିବ, ତେବେ ସେ ସ୍ଥାନ ବିଶୋଧନ କରାଯିବ । ସେଠାରେ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରାଯାଇପାରିବ ।
ଯେଉଁ ସ୍କୁଲରେ ସଂଗରୋଧ କେନ୍ଦ୍ର ବା କୋଭିଡ୍ କେୟାର ହୋମ୍ ଚାଲିଥିବ ହେଲେ ଚାଉଳ ଅଲଗା ଘରେ ରହୁଥିବ ସେଠାରେ ପିଲାଙ୍କୁ ଚାଉଳ ବଣ୍ଟାଯିବନି । ସେ ସ୍ଥାନରୁ ଚାଉଳ ଅଣାଯାଇ ନିକଟସ୍ଥ ସ୍କୁଲରେ ବଣ୍ଟନ ହେବ । ଆଉ ଯେଉଁଠି ଚାଉଳ ବାହାରକୁ ଆଣିବା ସମ୍ଭବ ହେବନି ସେଠାରେ ପ୍ରଧାନ ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଜଣାଇବେ ।