Home ଜୀବନଚର୍ଯ୍ୟା ଶରୀରର କୌଣସି ଜାଗାରେ ରକ୍ତ ଜମାଟ ବାନ୍ଧିଲେ ସମସ୍ୟା ,ଏହାକୁ ହେୟଜ୍ଞାନ କରନ୍ତୁନି

ଶରୀରର କୌଣସି ଜାଗାରେ ରକ୍ତ ଜମାଟ ବାନ୍ଧିଲେ ସମସ୍ୟା ,ଏହାକୁ ହେୟଜ୍ଞାନ କରନ୍ତୁନି

ବ୍ଲଡ କ୍ଲଟିଂ ଅର୍ଥାତ୍ ରକ୍ତ ଜମାଟ ହେବା ଅନେକ ଥର ଭୟଙ୍କର ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଏହାର ଲକ୍ଷଣ ଏବଂ କାରଣକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ ବାଥରୁମରେ ଗୋଡ଼ ଖସି ପଡ଼ି ଯାଇଥିଲେ ଯାହା ଫଳରେ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟିଂ ହୋଇଯାଇଥିଲା। ସର୍ଜରି ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆସନ୍ତୁ ଜାଣିବା ଏହି ବ୍ଲଡ କ୍ଲଟିଂ କ’ଣ ଏବଂ ଏହା କାହିଁକି ମାରାତ୍ମକ।

ବ୍ଲଡ କ୍ଲଟ୍ ଅର୍ଥାତ୍ ରକ୍ତ ଜମାଟ ହେଲେ ରକ୍ତ ତରଳ ପଦାର୍ଥରୁ ଏକ ଜେଲରେ ବଦଳିଥାଏ ଯାହାର ସ୍ବରୂପ ଏକ ଜମାଟ ଭଳି ହୋଇଥାଏ। ଏହାକୁ ଥ୍ରୋମ୍ବୋସିସ ମଧ୍ୟ କୁହାଯାଇଥାଏ। ଖଣ୍ଡିଆ କିମ୍ବା କଟି ଯିବା ଫଳରେ ବ୍ଲଡ କ୍ଲଟିଂ ହୋଇଥାଏ କାରଣ ଏହା ଶରୀରରୁ ଅଧିକ ରକ୍ତ ବୋହିଯିବା ଫଳରେ ହୋଇଥାଏ। କିନ୍ତୁ ଯେତେବେଳେ ଏହି କ୍ଲଟିଂ ଶରୀର ଭିତରେ ଶିରାରେ ହେବାକୁ ଲାଗିଥାଏ ତେବେ ଏହା ମାରାତ୍ମକ ହୋଇଥାଏ। ଶିରାର ବ୍ଲଡ କ୍ଲଟିଂ ଆପଣାଛାଏଁ ଭଲ ହୋଇନଥାଏ। ଏହା ଯୋଗୁଁ ଜୀବନ ଯିବାର ଆଶଙ୍କା ଥାଏ।

ସାଧାରଣତଃ ବ୍ଳଡ କ୍ଲଟିଂ ଦ୍ବାରା ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚିନଥାଏ କିନ୍ତୁ ଯେତେବେଳେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନରେ ବ୍ୟାପିବାକୁ ଲାଗିଥାଏ ସେତେବେଳେ ଏହା ମାରାତ୍ମକ ହୋଇଥାଏ। ଭାଙ୍ଗିବା ପରେ କ୍ଲଟିଂ ଶିରା ଜରିଆରେ ଫୁସଫୁସରେ ପହଞ୍ଚି ରକ୍ତପ୍ରବାହକୁ ରୋକିପାରେ। ଏପରି ସ୍ଥିତିରେ ମେଡିକାଲ୍ ଏମରଜେନ୍ସିର ଆବଶ୍ୟକତା ପଡ଼ିଥାଏ।

ବ୍ଲଡ କ୍ଲଟ୍ ବିଭିନ୍ନ ପ୍ରକାରର ହୋଇଥାଏ। ଶିରା ଏବଂ ଧମନୀ ଜରିଆରେ ଶରୀରରେ ରକ୍ତ ସଞ୍ଚାର ହୋଇଥାଏ। ଧମନୀରେ ହେଉଥିବା ରକ୍ତଜମାଟକୁ ଆର୍ଟେରିଆଲ୍ କ୍ଲଟ୍ କୁହାଯାଏ। ଏପରି କ୍ଲଟ୍ ହେଲେ ଲକ୍ଷଣ ତୁରନ୍ତ ଦେଖାଯାଇଥାଏ ଏବଂ ଏଥିରେ ତୁରନ୍ତ ଚିକିତ୍ସାର ଆବଶ୍ୟକତା ହୋଇଥାଏ। ଆର୍ଟେରିଆଲ କ୍ଳଟ୍ ଯୋଗୁଁ ଭୀଷଣ ଯନ୍ତ୍ରଣା ଏବଂ ପକ୍ଷାଘାତ ହୋଇପାରେ। ଏହା ଯୋଗୁଁ ହୃଦଘାତ ହୋଇପାରେ। ଶିରାରେ ହେଉଥିବା ବ୍ଲଡ କ୍ଲଟକୁ ଭେନସ କ୍ଲଟ୍ କୁହାଯାଇଥାଏ। ଏହିପରି କ୍ଲଟିଂ ଧୀରେ ଧୀରେ ବଢ଼ି ଯାଇଥାଏ ଯାହା ମାରାତ୍ମକ ହୋଇପାରେ।

ଏଥିରେ ସବୁଠୁ ଗମ୍ଭୀର ଡିପ୍ ଭେନ୍ ଥ୍ରୋମ୍ବୋସିସ ହୋଇଥାଏ। ଏହିଭଳି କ୍ଲଟିଂ ବାହୁ,ପେଲଭିସ୍,ଫୁସଫୁସ ଏବଂ ବ୍ରେନରେ ମଧ୍ୟ ହୋଇପାରେ। ସାଧାରଣତଃ ସବୁଠୁ ଅଧିକ ମୃତ୍ୟୁ କ୍ଲଟିଂ ଯୋଗୁଁ ହୋଇଥାଏ।

ବ୍ରେନରେ ହୋଇଥିବା ବ୍ଲଡ କ୍ଲଟିଂକୁ ଷ୍ଟୋକ୍ ମଧ୍ୟ କୁହାଯାଏ। ବ୍ରେନରେ ବ୍ଲଡ କ୍ଲଟିଂ ଯୋଗୁଁ ହଠାତ୍ ମୁଣ୍ଡବ୍ୟଥା ହୋଇଥାଏ। କହିବାକୁ କିମ୍ବା ଦେଖିବାକୁ ଅସୁବିଧା ହୋଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ। ମସ୍ତିଷ୍କରେ ରକ୍ତ ଜମାଟ ହେବା ଯୋଗୁଁ ରକ୍ତ ପ୍ରବାହ ଅଟକି ଯାଇଥାଏ ଯାହା ଫଳରେ ବ୍ରେନ୍ ଷ୍ଟୋକର ଆଶଙ୍କା ବଢ଼ି ଯାଇଥାଏ।

ସବୁଠୁ ଅଧିକ ବ୍ଲଡ କ୍ଲଟିଂ ଗୋଡ଼ର ତଳ ଭାଗରେ ହୋଇଥାଏ। ହାତ କିମ୍ବା ଗୋଡ଼ରେ ହେଉଥିବା ବ୍ଲଡ କ୍ଲଟିଂ ଯୋଗୁଁ ଫୁଲା,ଯନ୍ତ୍ରଣା,ତ୍ବଚାର ରଙ୍ଗ ବଦଳିବା ଏବଂ ସେନସେସନ ଆଦି ଅନୁଭବ ହୋଇଥାଏ। ଏହି ଲକ୍ଷଣ ପୂରାପୂରି କ୍ଲଟିଂର ଆକାର ଉପରେ ନିର୍ଭର କରିଥାଏ। ଦୁଇ ହାତ କିମ୍ବା ଦୁଇ ଗୋଡ଼ରେ ଏକାଠି କ୍ଲଟିଂ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍।

ହୃଦୟରେ ରକ୍ତ ଜମାଟ ହେଲେ ହୃଦଘାତ ହୋଇପାରେ। ହୃଦୟରେ ରକ୍ତ ଜମାଟ ବହୁତ କମ୍ ଜମିଥାଏ କିନ୍ତୁ ତଥାପି ଏହା ହେବାର ସମ୍ଭାବନା ଥାଏ। ଏହା ଯୋଗୁଁ ହୃଦୟରେ ଭାରିପଣ ହୋଇଥାଏ ଏବଂ ନିଃଶ୍ବାସ ନେବାରେ ସମସ୍ୟା ହୋଇଥାଏ।

ପେଟରେ ରକ୍ତ ଜମାଟ ହେବା ଦ୍ବାରା ଭୀଷଣ ପେଟ ଯନ୍ତ୍ରଣା ଏବଂ ଫୁଲିପାରେ। ଏହା ଫୁଡ ପଏଜନିଂର ଲକ୍ଷଣ ମଧ୍ୟ ହୋଇପାରେ। ଏପରି ହେଲେ ଡାକ୍ତରଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ।