Home ରାଜ୍ୟ ଭିତରକନିକାରୁ ୩୬ କୁମ୍ଭୀର ଗାଏବ!

ଭିତରକନିକାରୁ ୩୬ କୁମ୍ଭୀର ଗାଏବ!

ରାଜନଗର : ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି। ଚଳିତମାସ ୧୫ ରୁ ୨୩ ତାରିଖ ଯାଏ ବନବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ରିପୋର୍ଟ ଏହି ତଥ୍ୟ କହୁଛି।

ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଛୋଟ ଛୋଟ କୁମ୍ଭୀରଙ୍କୁ ବଡ଼ କୁମ୍ଭୀର ବା ବଡ଼ ମାଛ ଖାଇଥାନ୍ତି। ମାତ୍ର ୬ ଫୁଟରୁ ବଡ ଅର୍ଥାତ ୪ ବର୍ଷରୁ ଅଧିକ ବୟସ୍କ ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ଗାଏବ ହୋଇଯିବା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏତେ ସଂଖ୍ୟକ ବଡ଼ କୁମ୍ଭୀର କୁଆଡେ ଗଲେ? ବର୍ଷକ ମଧ୍ୟରେ ୩୬ଟି ବଡ କୁମ୍ଭୀର ମୃତ୍ୟୁ ବରଣ କରିଛନ୍ତି ନା ସେମାନଙ୍କୁ ଶିକାର କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି। ଗତ ୧୦ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ପ୍ରତିବର୍ଷ ବଡ କୁମ୍ଭୀର ସଂଖ୍ୟା ବଢୁଥିବା ବେଳେ ଏ ବର୍ଷ ୩୬ କୁମ୍ଭୀର ଗାଏବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ କୁମ୍ଭୀର ଗଣନା କରାଯାଇଥାଏ। ୧୯୭୫ରେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ବଂଶବୃଦ୍ଧି ଯୋଜନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟରେ କୁମ୍ଭୀର ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗଣନା ରିପୋର୍ଟ ଅନୁଯାୟୀ ଏ ବର୍ଷ ଭିତରକନିକାରେ ୨ ଫୁଟରୁ କମ୍ ଆକାରର ୫୯୩ କୁମ୍ଭୀର, ୨ ଫୁଟରୁ ୩ ଫୁଟ ମଧ୍ୟରେ ୩୭୬, ୩ ଫୁଟରୁ ୬ ଫୁଟର ୩୨୦, ୬ ଫୁଟରୁ ୮ ଫୁଟର ୧୫୨, ୮ ଫୁଟରୁ ୧୦ ଫୁଟର ୧୨୭, ୧୦ ରୁ ୧୨ ଫୁଟର ୯୬, ୧୨ରୁ ୧୪ ଫୁଟର ୫୦, ୧୪ରୁ ୧୬ ଫୁଟର ୩୧, ୧୬ରୁ ୧୮ ଫୁଟ ମଧ୍ୟରେ ୨୨ଟି, ୧୮ରୁ ୨୦ ଫୁଟ ମଧ୍ୟରେ ୬ ଓ ୨୦ ଫୁଟରୁ ଅଧିକ ଲମ୍ବର ୪ଟି କୁମ୍ଭୀର ଅଛନ୍ତି। ଅର୍ଥାତ୍ ୬ ଫୁଟରୁ ବଡ ୪୮୮ଟି କୁମ୍ଭୀର ଚଳିତବର୍ଷ ଗଣନାରେ ଚିହ୍ନଟ କରାଯାଇଛି। ଯାହାକି ଗତବର୍ଷ ତୁଳନାରେ ୩୬ଟି କମ। ବନବିଭାଗ ଏ ବର୍ଷ କୁମ୍ଭୀର ସଂଖ୍ୟା ଆଶାତୀତ ବଢିଥିବା କହି ଖୁସି ବ୍ୟକ୍ତ କରୁଛି। ମାତ୍ର ପ୍ରକୃତପକ୍ଷେ ଗଣନା ରିପୋର୍ଟ ଅନୁସାରେ ଭିତରକନିକା ଯେ ବଉଳା କୁମ୍ଭୀରଙ୍କ ପାଇଁ ଶ୍ମଶାନ ଭୂମି ପାଲଟିଛି, ସେ ଭଳି ମାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି।