Home ରାଜ୍ୟ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ପାସ ହାର ୭୦.୨୧%

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ପାସ ହାର ୭୦.୨୧%

ଭୁବନେଶ୍ୱର : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ବା ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ଗତ ବର୍ଷ ପାସ ହାର ୭୨ ପ୍ରତିଶତ ଥିଲା ।

ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ବା ୨୫,୩୩୯ ଜଣ ପିଲା ପାସ କରିଛନ୍ତି । ୨୦୧୯ରେ ୨୦୮୦୬ ଜଣ ପିଲା ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ୧୩୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାସ କରିଛନ୍ତି ଯାହାକି ଗତ ବର୍ଷ ୨୩୯୦୪ ଥିଲା । ୩ୟ ଶ୍ରେଣୀରେ ୧୮,୨୬୮ ଜଣ ବା ୧୯ ପ୍ରତିଶତ ପିଲା ପାସ କରିଛନ୍ତି ।

ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାସ କରିପାରିନାହାନ୍ତି । ଏସବୁ ସ୍କୁଲ ବା ଜୁନିୟର କଲେଜ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାସହାର କମିଥିବା ମନ୍ତ୍ରୀ କହିଛନ୍ତି ।