Home ରାଜ୍ୟ ଆଜି ବିଶ୍ବ ହସ୍ତୀ ଦିବସ

ଆଜି ବିଶ୍ବ ହସ୍ତୀ ଦିବସ

ବାଲେଶ୍ୱର : ଆଜି ବିଶ୍ବ ହସ୍ତୀ ଦିବସ । ହାତୀ ପାଇଁ ଦିନଟିଏ । ତେବେ ଉଦବେଗର ବିଷୟ ହେଉଛି ହାତୀ ବଂଶ ହ୍ରାସ ପାଇବାରେ ଲାଗିଛି । କେବଳ ଆମ ରାଜ୍ୟ ବା ଦେଶ ନୁହେଁ , ସାରା ବିଶ୍ବରେ କମୁଛି ହାତୀ ସଂଖ୍ୟା । ୨୦୧୭ ହାତୀ ଗଣନା ରିପୋର୍ଟ ଅନୁଯାୟୀ ଦେଶରରେ ୩୦ ହଜାର ହାତୀ ଅଛନ୍ତି । ଏହି ତୁଳନାରେ ଓଡ଼ିଶାରେ ଅଛନ୍ତି ୧୯ ଶହ ୭୬ଟି । ୧୯୭୯ ରେ ରାଜ୍ୟରେ ହାତୀ ସଂଖ୍ୟା ଥିଲା ୨୦୪୪ । ଶିମିଳିପାଳରେ ୩୩୦ ,ଢେଙ୍କାନାଳରେ ୧୬୯, ସାତକୋଶିଆରେ ୧୪୭, ଆଠଗଡରେ ୧୧୫, କୁଲଡିହାରେ ୯୭ଟି ହାତୀ ଅଛନ୍ତି । ତେବେ ସେମାନଙ୍କର ବଂଶ ବିସ୍ତାର ହୋଇ ପାରୁନି । ତଥ୍ୟ କହୁଛି ବିଗତ ଦଶ ବର୍ଷରେ ଓଡ଼ିଶାରେ ହାତୀ ମଣିଷ ଲଢେଇରେ ୭୪୪ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏହି ସମୟରେ ୭୪୦ ହାତୀ ମରିଛନ୍ତି ।

ତେବେ କାହିଁକି ହାତୀ ବଂଶ ବଢୁନି । ଏଥିପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡିବ । ଗୋଟିଏ ହାତୀ ଦିନକୁ ଦୁଇ ଶହ ପଚାଶ ଲିଟର ପାଣି ପିଇଥାଏ । ଦେଢ କୁଇଣ୍ଟାଲ ଓଜନର ଡାଳ ପତ୍ର ଖାଇଥାଏ । ଏଥିପାଇଁ ଆବଶ୍ୟକ ଯଥେଷ୍ଟ ଜଙ୍ଗଲ ଏବଂ ନଦୀ, ଝରଣା । ଜଙ୍ଗଲ ହ୍ରାସ ପାଉଥିବାରୁ ହାତୀ ଅଣନିଶ୍ବାସୀ ହୋଇ ପଡୁଛି । ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଧାଉଁଛି । ଜନବସତିକୁ ମୁହାଁଉଛି । ଜଙ୍ଗଲ କ୍ଷୟ, ଜଙ୍ଗଲ ଭିତରେ ବିଦ୍ୟୁତ ତାର, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପାଦ୍ରଭାବ, ଆଉ ହାତୀ ମଣିଷର ବିବାଦ ଏହାର ମୁଖ୍ୟ କାରଣ । ଏହା ସହ ଏଯାଏ ହାତୀ କରିଡର ହୋଇପାରିଲା ନାହିଁ । ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ , ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ କହିଛନ୍ତି ।