ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସଟଡାଉନ ସମେତ କର୍ଫ୍ୟୁ ଜାରି ଅଛି । ଜିଲ୍ଲାର ସବୁ ପ୍ରବେଶ ପଥ ସିଲ ହୋଇଛି । ୭୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । କୋବିଡ ଟେଷ୍ଟ ପରେ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ଟାଣିବେ ବାହୁଡ଼ା ରଥ । ପୁଲିସ ପକ୍ଷରୁ ରଥରେ ଅତିରିକ୍ତ ଆଉଟର୍ କର୍ଡନ କରି ରଥକୁ ଦିଆଯିବ ସୁରକ୍ଷା । କୌଣସି ବ୍ୟକ୍ତି ନିୟମ ନ ମାନିଲେ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଆଇନ ଉଲ୍ଲଙ୍ଘନ କରିଥିବା ନେଇ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।
ବାହୁଡ଼ା ଯାତ୍ରା ପାଇଁ ରଥ ଯାତ୍ରା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଣି ବାହୁଡ଼ା ଯାତ୍ରାକୁ ନେଇ ସୁନାବେଶ ପର୍ଯ୍ୟନ୍ତ କରାଯାଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ଜୁନ ୩୦ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ବାହାର ଲୋକଙ୍କ ପ୍ରବେଶ ମନା । ସୁପ୍ରିମ କୋର୍ଟଙ୍କ ଗାଇଡଲାଇନକୁ ଅନୁପାଳନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବ୍ଲୁପ୍ରିଣ୍ଟ ।
ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରାର ସବୁ ନୀତିକାନ୍ତି କରାଯାଉଥିବାରୁ ବଡ଼ ଦାଣ୍ଡ ଉପରେ ପୋଲିସ ବିଶେଷ ନଜର ରଖୁଛି । ବାହୁଡ଼ା ଯାତ୍ରା ପାଇଁ ଏକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରୁ କେହି ବାହାରକୁ ବାହାରିବେ ନାହିଁ । ଆଇନ ଭାଙ୍ଗି ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ବାଧ୍ୟ ନ କରନ୍ତୁ ବୋଲି ପୋଲିସ୍ କଡ଼ା ଚେତାବନୀ ଦେଇଛି ।