Home ରାଜ୍ୟ ହକି ବିଶ୍ୱକପ୍‌ ଉଦ୍‌ଘାଟିତ: ଓଡ଼ିଶାବାସୀ ହକିର ସର୍ବଶ୍ରେଷ୍ଠ ପ୍ରଶଂସକ

ହକି ବିଶ୍ୱକପ୍‌ ଉଦ୍‌ଘାଟିତ: ଓଡ଼ିଶାବାସୀ ହକିର ସର୍ବଶ୍ରେଷ୍ଠ ପ୍ରଶଂସକ

ଭୁବନେଶ୍ୱର – ”ହକି ବିଶ୍ୱକପ ଇତିହାସରେ ଯାହା ପୂର୍ବରୁ କେବେ ହୋଇ ନ ଥିଲା ତାହା ଓଡ଼ିଶା କରି ଦେଖାଇଲା। ପୂର୍ବ ୧୩ଟି ସଂସ୍କରଣଠାରୁ ଏଥର ନିଆରା ଭାବରେ ବିଶ୍ୱକପ ଆରମ୍ଭ କରି ଓଡ଼ିଶା ଉଦାହରଣ ସୃଷ୍ଟି କଲା। ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ କମ୍‌ ହେବ“ ବୋଲି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଉଦ୍‌ଘାଟନ ଅବସରରେ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା। ଓଡ଼ିଶାବାସୀ ହେଉଛନ୍ତି ହକିର ସର୍ବଶ୍ରେଷ୍ଠ ପ୍ରଶଂସକ। ୨୦୧୩ରେ ଆମକୁ ହକି ବିଶ୍ୱକପ ଆୟୋଜନ ଅଧିକାର ମିଳିଥିଲା। ୨୦୧୮ରେ ଓଡ଼ିଶାରେ ଏବେ ତାହା ଆୟୋଜନ ହେବାକୁ ଯାଉଛି। ଖାଲି ଆୟୋଜନ ହୋଇନାହିଁ, ଯେପରି ଢଙ୍ଗରେ ଆୟୋଜନ ହୋଇଛି ତାହା ବିଶ୍ୱରେ ଏକ ନଜିର ସୃଷ୍ଟି କରିଛି। ଓଡ଼ିଶାବାସୀଙ୍କ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଷ୍ଟାଡିୟମରେ ଭରପୂର ସଂଖ୍ୟାରେ ଉପସ୍ଥିତ ହୋଇ ଯେପରି ହକିକୁ ଆପଣମାନେ ସମର୍ଥନ ଜଣାଇଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏଥିପାଇଁ ହକି ଇଣ୍ଡିଆ, ଓଡ଼ିଶା ସରକାରଙ୍କୁ ଧନ୍ୟବାଦ। ହକି ବିଶ୍ୱକପ କେଉଁ ସ୍ତରରେ ହେବା ଆବଶ୍ୟକ ତାହା ଓଡ଼ିଶା କରି ଦେଖାଇ ଦେଇଛି। କଳିଙ୍ଗ ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାଡିୟମ ମଧ୍ୟରେ ଅନ୍ୟତମ ହୋଇପାରିଛି। ଏଥିପାଇଁ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ। କାରଣ ତାଙ୍କ ଭରପୂର ସମର୍ଥନ ଯୋଗୁ ଏହା ସମ୍ଭବ ହୋଇପାରିଛି ଏବଂ ଓଡ଼ିଶା ଏବେ ଭାରତର କ୍ରୀଡ଼ା ରାଜଧାନୀ ହେବା ପଥରେ ରହିଛି। ଏଠାରେ ମିଳିଥିବା ସମର୍ଥନରେ ବାସ୍ତବିକ୍‌ ମୁଁ ବହୁତ ଖୁସି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରହମନଙ୍କ ଉପସ୍ଥିତି ଆମ ସମସ୍ତଙ୍କୁ ଉତ୍ସାହିତ କରିଛି। ଆମେ ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର କୃତଜ୍ଞ ବୋଲି ଓଡ଼ିଆରେ କହିଥିଲେ ବାତ୍ରା।

ନେତା-ଅଭିନେତାଙ୍କ ମହାମିଳନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଜୀବନରେ ଜଣେ ହକି ଖେଳାଳି ଥିଲେ। ଉଦ୍‌ଘାଟନୀ ସମାରୋହର ଅନ୍ୟତମ ଆକର୍ଷଣ ବଲିଉଡ ଅଭିନେତା ଶାହରୁଖ ଖାଁ ଫରଓ୍ବାର୍ଡରେ ଖେଳୁଥିଲେ। ତେଣୁ ନେତା ଓ ଅଭିନେତାଙ୍କ ମହାମିଳନ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଓଡ଼ିଶାକୁ ମୋତେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୋ ମତରେ ହକି ବିଶ୍ୱକପ ବିଶ୍ୱରେ ସବୁଠାରୁ ଶ୍ରେଷ୍ଠ ଟୁର୍ନାମେଣ୍ଟ। କାରଣ ହକି ହେଉଛି ଆମ ଖେଳ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ଦେଶକୁ ଓଡ଼ିଶା ସବୁଠାରୁ ଦକ୍ଷ ଏବଂ ଭଲ ଖେଳାଳି ଯୋଗାଇ ଦେଇଛି। ତେଣୁ ଓଡ଼ିଶାରେ ହକି ବିଶ୍ୱକପ ହେବା ଅତ୍ୟନ୍ତ ଗର୍ବର ବିଷୟ। ”ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ମୋତେ ଏଠାକୁ ଆସିବା ସୁଯୋଗ ଦେଇଥିବା ଯୋଗୁ “ବୋଲି ଶାହରୁଖ। ଏପରି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ମୁଁ ବହୁତ ଗର୍ବିତ। କାରଣ ମୋ ବାପା ଜଣେ ହକି ଖେଳାଳି ଥିଲେ। ମୁଁ ମଧ୍ୟ ସ୍କୁଲ କ୍ୟାରିୟରରେ ମୋ ଟିମ୍‌ର କ୍ୟାପ୍‌ଟେନ୍‌ ଥିଲି। ଜଣେ ଅଭିନେତା ଭାବେ ମୁଁ ହକିକୁ ନେଇ ଚଳଚ୍ଚିତ୍ରରେ ଅଭିନୟ କରିଛି। ମୁଁ ମୋ ୬ ବର୍ଷର ପୁଅକୁ ମଧ୍ୟ ହକି ଷ୍ଟିକ୍‌ ଓ ଧଳା ବଲ୍‌ରେ ଖେଳିବାକୁ ଉତ୍ସାହିତ କରିଛି। ହକିକୁ ନେଇ ଭାରତରେ ଅନେକ ସ୍ମରଣୀୟ ସ୍ମୃତି ରହିଛି। ଏଠାରେ ଉପସ୍ଥିତ ୧୬ଟି ଯାକ ଦଳ ଚାମ୍ପିୟନ। ସମସ୍ତ ଖେଳାଳିଙ୍କୁ ମୁଁ ‘ଚକ୍‌ ଦେ ଇଣ୍ଡିଆ’ ଚଳଚ୍ଚିତ୍ରର ଏକ ସଂଳାପ କହିବାକୁ ଚାହେଁ, ”ତୁମ ନିକଟରେ ୭୦ ମିନିଟର ସମୟ ରହିଛି। ଏହା ତୁମ ଜୀବନର ମୂଲ୍ୟବାନ ୭୦ ମିନିଟ ହୋଇପାରେ। ତୁମେ ଭଲ ଖେଳ କି ଖରାପ ଏହି ୭୦ ମିନିଟ ତୁମକୁ ଜୀବନଭରି ମନେ ରହିବ। ତେଣୁ ଜୀବନ ଲଗାଇ ଖେଳ। ଆଗାମୀ ଜୀବନ ଭଲ ହେଉ କି ନ ହେଉ, କିଛି ରହୁ କି ନ ରହୁ, ଜିତ କିମ୍ବା ହାର, ଏ ୭୦ ମିନିଟ ତୁମଠାରୁ କେହି ଛଡ଼ାଇପାରିବେ ନାହିଁ। ତେଣୁ ଯାଅ, ନିଜେ ନିଜକୁ, ନିଜ ଜୀବନକୁ, ନିଜ ଭଗବାନଙ୍କ ଉଦ୍ଦେଶ୍ୟରେ ଏହି ୭୦ ମିନିଟ ଖେଳ। ଆଗାମୀ ୧୮ ଦିନରେ ୩୪ ମ୍ୟାଚରେ ଯଦି ଏଠାକୁ ଆସିଥିବା ଖେଳାଳି ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିପାରିଲା ତେବେ ଏହି ୭୦ ମିନିଟ ଭଗବାନ ବି ତୁମକୁ ମାଗି ପାରିବେ ନାହିଁ“। ଚକ୍‌ଦେ ଇଣ୍ଡିଆ ବୋଲି କହି ନିଜ ମନ୍ତବ୍ୟ ଶେଷ କରିଥିଲେ ଶାହରୁଖ।