Home ରାଜ୍ୟ ହକି ବିଶ୍ୱକପ୍‌ର ପ୍ରମୋଶନ: ବାରବାଟୀରେ ଭାଇଚାରା ଯୋଡ଼ିଲେ ଭାଇଜାନ

ହକି ବିଶ୍ୱକପ୍‌ର ପ୍ରମୋଶନ: ବାରବାଟୀରେ ଭାଇଚାରା ଯୋଡ଼ିଲେ ଭାଇଜାନ

କଟକ – ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ବାଲିଯାତ୍ରା କେମିତି ଚାଲିଛି? ଜୟ ଜଗନ୍ନାଥ। ମୁଁ ତୁମକୁ ଭଲପାଏ…। ବାସ୍‌ ଏଇ କେଇପଦର ଓଡ଼ିଆ କଥା କହି ବାରବାଟୀରେ ଭାଇଚାରାରେ ଯୋଡ଼ି ହୋଇଯାଇଥିଲେ ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆରମ୍ଭ ହୋଇଥିବାବେଳେ ବୁଧବାର ସନ୍ଧ୍ୟାରେ ଏହାର ସେଲିବ୍ରେଶନ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା। ଦର୍ଶକଙ୍କ ଭାଇଜାନ ଭାଇଜାନ ଡାକରେ ସମ୍ପୂର୍ଣ୍ଣ ଷ୍ଟାଡିୟମ ପ୍ରକମ୍ପିତ ହୋଇଉଠିଥିଲା। ଓସ୍କାର ଆୱାର୍ଡ ବିଜେତା ଏ.ଆର. ରହମନଙ୍କ ଦ୍ୱାରା ପ୍ରଥମେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଝୁମାଇଥିଲା। ରହମନ ମଞ୍ଚକୁ ଆସିବେ ବୋଲି ଉପସ୍ଥାପକ କୁନା ତ୍ରିପାଠୀ ଓ ସୁଲଗ୍ନା ଘୋଷଣା କରିବା ମାତ୍ରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇ ପଡ଼ିଥିଲା। କିଛି ମିନିଟ ଧରି ରହମନଙ୍କ ବିଭିନ୍ନ ଫଟୋକୁ ନେଇ ହୋଇଥିବା ଏକ ଭିଡିଓ କ୍ଲିପ ଦେଖାଇବା ପରେ ହଠାତ୍‌ ଆରମ୍ଭ ହୋଇଥିଲା ନାଦାନ ପରିନ୍ଦେ ଗୀତ। ମଞ୍ଚରେ ବସିଥିଲେ ଓସ୍କାର ବିଜେତା ରହମନ। ଏହା ପରଠାରୁ ଗୋଟିଏ ପରେ ଗୋଟିଏ ହିଟ ଗୀତ ବାରବାଟୀ ଷ୍ଟାଡିୟମକୁ ଉତ୍ସବମୁଖର କରିବାରେ ଲାଗିଥିଲା। ତେବେ ମୁକାବଲା ଓ ରଙ୍ଗିଲା ଗୀତ ବସିଥିବା ଦର୍ଶକଙ୍କୁ ନଚାଇଥିଲା। ଦିଲ୍‌ ହେ ଛୋଟାସା, ଦିୟା ଜଲେ, ସାଥିୟା, ତାଲ ଭଳି ରହମନଙ୍କ କମ୍ପୋଜରେ ହୋଇଥିବା ଅନେକ ହିଟ ଗୀତ ଅନ୍ୟ କଳକାରମାନେ ପରିବେଷିତ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୭୫ ମସିହା ହକି ବିଶ୍ୱକପ୍‌ ଜିତିଥିବା ଭାରତୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଓଡ଼ିଆ ଭାଷଣ ଦେଇ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଲ୍‌ମନ ଓ ରହମନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ସଲମନ ଓ ରହମନଙ୍କୁ ଦର୍ଶକ ଅପେକ୍ଷା କରିଥିଲେ ମଧ୍ୟ ଓଡ଼ିଆ କଳାକାରମାନେ ଦର୍ଶକଙ୍କୁ ବେଶ୍‌ ଝୁମାଇଥିଲେ। କଣ୍ଠଶିଳ୍ପୀ ଦୀପ୍ତି ଓ ଆଶୁତୋଷ ହାଏତୋ ପ୍ରେମର ରଙ୍ଗୋଲି ଗୀତ ଗାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ସ୍ବରାଜ, ଏଲିନା, ଭୂମିକାଙ୍କ ନୃତ୍ୟ ଅନ୍ୟତମ ଆକର୍ଷଣ ପାଲଟିଥିଲା। ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି, ଅରିନ୍ଦମ ରାୟ ମଧ୍ୟ ମଞ୍ଚକୁ ଆସି ହକି ବିଶ୍ୱକପ୍‌ ନିମନ୍ତେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ।