Home ରାଜ୍ୟ ସାରା ରାଜ୍ୟରେ ମଣ୍ଡି ବଢାଇଲା ମୁଣ୍ଡ ବ୍ୟଥା ; ଉପାନ୍ତ ଉପକୂଳରେ ଉଠିଲାଣି ପ୍ରତିବାଦର ସ୍ୱର...

ସାରା ରାଜ୍ୟରେ ମଣ୍ଡି ବଢାଇଲା ମୁଣ୍ଡ ବ୍ୟଥା ; ଉପାନ୍ତ ଉପକୂଳରେ ଉଠିଲାଣି ପ୍ରତିବାଦର ସ୍ୱର ,ନେତା ମାରିଲେଣି ପ୍ରତିଶ୍ରୁତି ବାଣ !



ଭୁବନେଶ୍ୱର ; ରାଜଧାନୀରେ ଚାଷୀ ପାଇଁ ରାଜନେତା କାନ୍ଦୁଥିବାବେଳେ ଲୁହ ଏବେ ଗାଁ ଗଣ୍ଡାରେ ବୋହିଲାଣି । ନିକଟରେ ବିରୋଧୀ କଂଗ୍ରେସ ଚାଷୀର ଋଣ ଛାଡ ପାଇଁ ପ୍ରେସମିଟ୍ କରି ପ୍ରତିଶ୍ରୁତିର ବାଣ ଫିଙ୍ଗିଥିବାବେଳେ ବିଜେପି ରାଜଧାନୀରେ ଚାଷୀ ପାଇଁ ରଣହୁଙ୍କାର ଦେଖାଉଛି । ଅନ୍ୟପଟେ ଆମ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବହୁ ଯୋଜନା ଆପଣାଉଥିଲେ ମଧ୍ୟ ଆହୁରି ଅଭାବ ରହିଥିଲା । ଚାଷୀଙ୍କ ୁ ଘିଅ ମହୁରେ ଭସାଇବା ପାଇଁ କାଲି ଠାରୁ କାର୍ଯ୍ୟକାରୀ ହେବ କାଳିଆ ଯୋଜନା । ଯାହାକୁ ନେଇ ସରକାର ବିଜ୍ଞାପନ ଦୁନିଆରେ ବାଣ ମାରିଛନ୍ତି । ଯାହାକୁ ନେଇ ଅସହାୟ ଚାଷୀ ମନରେ ମଧ୍ୟ ଆଶା ବାନ୍ଧିଛି । ଠିକ୍ ଏହି ସମୟରେ ରାଜ୍ୟର ଚାଷୀକୂଳକୁ ଚଡକ ପଡିଛି । ଚାଷ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବାବେଳେ ଅନେକ ଜାଗାରେ ମରୁଡି ,ଅଦିନିଆ ବର୍ଷା ସହିତ ତିତିଲି ଚାଷ ଧୋଇ ଦେଇଥିବାବେଳେ ଆଉ କେଉଁଠି ଚକଡା ତ ଆଉ କେଉଁଠି କୀଟନାଶକ ଔଷଧର କଳାବଜାରୀ ଚାଷୀ କୂଳକୁ ନୟାନ୍ତ କରିଛି । ଏପରି ସମୟରେ ଚାଷୀ ଯେଉଁ ଅମଳ କରିଛି ତାହା ବିକ୍ରି କରିବା ପାଇଁ ସଠିକ ବଜାର ମିଳୁ ନାହିଁ ଓ ଦଲାଲ ସକ୍ରିୟ ହେବାରେ ଲାଗିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଚାଷୀ ମେଳି ଦେଖିବାକୁ ମିଳୁଛି । କେଉଁଠି ଚାଷୀ ଅଭାବି ବିକ୍ରିର ସାମ୍ନା କରି ରାସ୍ତାରେ ବସୁଛି ତ ଆଉ କେଉଁଠି ଧାନ ମଣ୍ଡି ସମସ୍ୟା ଉଦବେଗ ଜନକ ରହିଛି ।
ମାଲକାନଗିରି ଜିଲ୍ଲାରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଧାନ ମଣ୍ଡି ଖୋଲିବାରେ ସରକାର ବିଫଳ ହୋଇଥିବାରୁ ଚାଷୀମାନେ ଶିତ କାକରରେ ଅପେକ୍ଷା କରିବା ପରେ ଚରମ ନିଷ୍ପତ୍ତି ନେଇଛନ୍ତି । ଧାନ ଉଠା ବିଳମ୍ବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୪ଟି ପଞ୍ଚାୟତର ଶତାଧିକ ଚାଷୀ । ଟୋକନ ମିଳିଥିଲେ ମଧ୍ୟ ମିଲରମାନେ ଧାନ ଉଠାଉନଥିବା ପ୍ରତିବାଦରେ ପଦ୍ମପୁର ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି ଚାଷୀ । ଅନ୍ୟପଟେ ନୟାଗଡରେ ମଧ୍ୟ ସମାନ ପରିସ୍ଥିତି । ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଧାନଶିଶା ଗାଁ ମଣ୍ଡିରେ ହାଡଭଙ୍ଗା ଶୀତରେ ଧାନ ଜଗି ଶୋଇରହିଥିଲେ ଚାଷୀ । ମଣ୍ଡିକୁ ଧାନ ବିକିବାକୁ ଆସିଥିବା ୧୨ ରୁ ୧୫ ଚାଷୀଙ୍କୁ ମିଲର କ୍ୱିଣ୍ଟାଲ ପିଛା ୫ ରୁ ୬ କେଜି କଟନି କାଟିବାକୁ କହିଥିଲେ କିନ୍ତୁ ଚାଷୀ ମାନେ ୨ ରୁ ୩ କେଜି କଟନି କାଟିବାକୁ କହିବାରୁ ମିଲର ଫେରିଯାଇଥିଲେ । ଫଳରେ ରାତିସାରା ନିଜର ଧାନକୁ ଜଗି ରହିଥିଲେ ଚାଷୀ ମାନେ ଏବଂ ସକାଳୁ ବାହାର ବେପାରୀଙ୍କୁ ଧାନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଚାଷୀ କୂଳର ଅବସ୍ଥା ଏପରି ତେବେ ସରକାର ଏବଂ ବିରୋଧୀଙ୍କର ମାଳ ମାଳ ଯୋଜନା କାହା ପାଇଁ ବୋଲି ଚାଷୀ ମନରେ ମଧ୍ୟ ପ୍ରଶ୍ନ ଉଠୁଛି ।