Home ରାଜ୍ୟ ମିଥ୍ୟାର ସୌଦାଗର ବିଜେପି ; କାଳିଆ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନାର କଡା ଜବାବ୍ ଦେଲେ...

ମିଥ୍ୟାର ସୌଦାଗର ବିଜେପି ; କାଳିଆ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନାର କଡା ଜବାବ୍ ଦେଲେ ପ୍ରଦୀପ !

ଭୁବନେଶ୍ୱର ; ଗତକାଲି ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିବା ପରେ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । କୃଷି ଋଣ ଛାଡ ନକରି ଚାଷୀଙ୍କ ପାଇଁ ବିକଳ୍ପ ବାଟ ବାହାର କରିଥିବା ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା ଜାରି ରହିଛି । ସରକାର ଚାଷୀଙ୍କ ପାଇଁ ଯୋଜନା ଘୋଷଣାରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବିଜେପି କହିଥିବା ବେଳେ । ସେପଟେ କାଳିଆ ଯୋଜନାକୁ ନେଇ ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନବ ନିର୍ମାଣ କୃଷକ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିଛି । ସେହିପରି ରାଜଭବନ ସମ୍ମୁଖରେ ଧାରଣାରେ ବସିଥିବା କୃଷ୍ଣ ସଗରିଆ ମଧ୍ୟ ଚାଷୀଙ୍କ ପାଇଁ ସରକାରଙ୍କ ଯୋଜନାକୁ ସମାଲୋଚନା କରିଛନ୍ତି ।
ଆଉ ଏହି ସମାଲୋଚନା ଭିତରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ ବିଜେପିକୁ ମିଥ୍ୟାର ସୌଦାଗର ବୋଲି ସମାଲୋଚନା କରିବା ସହ କଂଗ୍ରେସକୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି । ମହାରଥୀ କହିଛନ୍ତି ଯେ ଆଗାମୀ ୨୪ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସୁଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି ଦେଇଥିବା କଥା ବୋଧେ ପ୍ରଧାନମନ୍ତ୍ରୀ ଭୁଲିଯାଇଛନ୍ତି । ଏହା ସହ କଂଗ୍ରେସ ୧୯୯୯ ଯାଏଁ ରାଜ୍ୟରେ କ୍ଷମତାରେ ଥିବା ବେଳେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଦରମା ଦେବାକୁ ନଥିଲା ବୋଲି ରଥୀ କହିଛନ୍ତି । ଏଥି ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀଙ୍କ ଉନ୍ନତି ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି । ଯାହା ଭିତରେ ବିନା ସୁଧରେ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଋଣ ସୁବିଧା ରହିଥିବା ମହାରଥୀ ପ୍ରକାଶ କରିଛନ୍ତି ।
ତେବେ ରାଜ୍ୟ ସରକାର , ରାଜନୀତି ନୁହେଁ ବରଂ ଚାଷୀ ଏବଂ ଚାଷ ଅର୍ଥନୀତିକୁ ସୁଧାରିବା ପାଇଁ ତଥା ଚାଷୀ ପରିବାରକୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେଥିରେ ପ୍ରକୃତ ଚାଷୀ ପରିବାର ଫାଇଦା ପାଇବେ ବୋଲି ଜଣାପଡୁଛି । ଯାହାକୁ ରାଜ୍ୟ ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କର କହିବା ଅନୁସାରେ, ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ଚାଷୀ ଋଣ ନେଇଥାନ୍ତି । ୧୨ ଲକ୍ଷ ଚାଷୀ ପରିବାର ଫସଲ ଋଣ ସୁବିଧା ନେଇନଥାନ୍ତି । ଫସଲ ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନିୟମିତ ଭାବେ ଋଣ ପରିଶୋଧ କରୁଛନ୍ତି । ତେଣୁ ଋଣଛାଡ ଦ୍ୱାରା ମାତ୍ର ୮ ଲକ୍ଷ ଚାଷୀ ଉପକାର ପାଇଥାନ୍ତେ ଏବଂ କେହି ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହୋଇନଥାନ୍ତେ । ରାଜ୍ୟ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ସେଥିରେ ୯୨ ପ୍ରତିଶତ ଚାଷୀ ଉଭୟ ଋଣୀ ଓ ଅଣ-ଋଣୀ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ ।