Home ରାଜ୍ୟ ମହରଗରୁ ଆସି କାନ୍ତାରରେ ପଡ଼ିଗଲା ଦାଦନ; ଫେରାଇ ଆଣିଲା ପ୍ରଶାସନ, ବଢାଇଲା ଭୋକ !

ମହରଗରୁ ଆସି କାନ୍ତାରରେ ପଡ଼ିଗଲା ଦାଦନ; ଫେରାଇ ଆଣିଲା ପ୍ରଶାସନ, ବଢାଇଲା ଭୋକ !

ସୁନ୍ଦରଗଡ଼: ଆନ୍ଧ୍ରପ୍ରଦେଶ ର ବିଜୟନଗରମରେ ଇଟାଭାଟିରେ କାମ କରି ବନ୍ଦି ଓ ନିର୍ଯାତନା ଜୀବନ କାଟୁଥିବା ସୁନ୍ଦରଗଡ଼ର ୫ ଶ୍ରମିକଙ୍କୁ ଉଦ୍ଧାର କଲା ପ୍ରଶାସନ । ଗତ କିଛିମାସ ହେବ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବୁତରା ଗାଁରେ କିଛି ଶ୍ରମିକ ଦଲାଲ ମାଧ୍ୟମରେ ବିଜୟନଗରର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । କିଛି ଦିନ ଠିକ୍ ଠାକ୍ରେ ଚାଲିଥିବା ବେଳେ ଶ୍ରମିକପ୍ରାପ୍ୟ କାରବାରକୁ ନେଇ ଦଲାଲ ଓ ଭାଟି ମାଲିକ ମିଳିମିଶି ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯାତନା ଦେବାସହ ଜଣେ ଶ୍ରମିକ ଉପରକୁ ଏସିଡ଼ ମାଡ଼ ଓ ଅନ୍ୟ ଏକ ଶ୍ରମିକର ଆଙ୍ଗୁଠିକୁ କାଟି ଦେଇଥିଲା । କୌଶଳ କ୍ରମେ ସେଠାରୁ ଗୁରୁତର ଶ୍ରମିକ ସମେତ ୫ ଜଣ ପଳିଆସିଥିବା ବେଳେ ଆଉ ୫ ଜଣଙ୍କୁ ଅଟକ ରଖିଥିଲା ଦଲାଲ । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ପ୍ରାଶାସନ ଓ ଶ୍ରମ ବିଭାଗ ହସ୍ତକ୍ଷେପ ପରେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ଦାଦନ ଘରକୁ ଫେରିଛି ସତ୍ୟ , ଅଭାବର ଦାଉ ଯନ୍ତ୍ରଣା ଦେଉଥିବା ଦେଖିବାକୁ ମିଳିଛି । ଭୋକରେ ପେଟ ପୋଡ଼ି ଯିବାରୁ ଘରଦ୍ୱାର ଛାଡି଼ ଦାଦନ ସାଜିଲା ମଣିଷ କିନ୍ତୁ ମହରଗରୁ ଆସି କାନ୍ତାରରେ ପଡ଼ିଲା ଭଳି ସଦୃଶ୍ୟ ହେଲା ଜୀବନ । ଗାଁରେ କାମ ନମିଳିବାରୁ ଗାଁ ଲୋକ ଦାଦନ ସାଜିଲେ କିନ୍ତୁ ଏବେ ନିର୍ଯାତିତ ହୋଇ ଗାଁକୁ ଫେରିବା ପରେ ପରିବାରରେ ଅଭାବ ଚିନ୍ତା ବଢିଯାଇଥିବା ଦେଖିବାକୁ ମିଳିଛି । ଏହି ଦାଦନ ସମସ୍ୟା ଆଉ ରାଜ୍ୟ ପାଇଁ ବ୍ୟାଧି ହୋଇଛି । ପ୍ରତିବର୍ଷ କାମ ନପାଇଁ ରାଜ୍ୟର ହଜାର ହଜାର ଯୁବକ ଦେଶର ଏକୋଣରୁ ସେକୋଣ ଘୂରିବୁଲୁଛନ୍ତି । କୋଉଁଠି ହାତ କଟୁଛି, ଆଉ କେଉଁଠି ଦଲାଲ ଜୀବନ ନେଉଛି । ଏପରି ସ୍ଥଳରେ ସରକାର ବହୁଯୋଜନା ଅପଣାଉ ଥିଲେ ମଧ୍ୟ ତାହା ବାବୁ ଲୋକଙ୍କ ନିକଟରେ ଅଟକି ଯାଉଛି । ଯୋଜନା ବାଟବଣା ହେଉଥିବା ବେଳେ ଶାସକ ଓ ପ୍ରଶାସନ ଏହାର ତୂରନ୍ତ ପ୍ରତିକାର ନକଲେ ଆଗାମୀ ଦିନରେ ଏହା ଉଗ୍ର ରୂପ ନେବା ନିଶ୍ଚିତ ହୋଇପଡ଼ିଛି ।