ଭୁବନେଶ୍ୱର ; ଗରିବ ମହିଳାଙ୍କ ଉପରେ ବାବୁ ଘର ଲୋକ ଚଢାଇଦେଲେ ସ୍କର୍ପିଓ ଆଉ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ରାସ୍ତାରେ । ମୃତ ମହିଳା ଜଣକ ପାଖ ବସ୍ତିର ଲାବଣ୍ୟ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ ଲାବଣ୍ୟା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର । କିନ୍ତୁ ଗତ କିଛି ବର୍ଷ ହେବ ସେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଥିବା ଏକ ବସ୍ତିରେ ରହିଆସୁଥିଲେ । ସବୁଦିନ ପରି ଆଜି ମଧ୍ୟ ଲାବଣ୍ୟା ରାସ୍ତାକଡରେ ଥିବା ପାଇପରେ ଗାଧୋଉଥିଲେ । କିନ୍ତୁ କାଳ ରୂପି ସ୍କର୍ପିଓଟି କେଉଁଠୁ ମାଡି ଆସିଥିଲା ତାଙ୍କ ଉପରକୁ , ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ତାଙ୍କ ଜୀବନ ।
ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ଧରି ରାସ୍ତାରୋକ କରିଥିଲେ । ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକରୁ ହଟିଥିଲେ । ତେବେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।