Home ରାଜ୍ୟ ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ସ୍ବତନ୍ତ୍ର ରିଲିଫ କମିସନର

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ସ୍ବତନ୍ତ୍ର ରିଲିଫ କମିସନର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ଓଡ଼ିଶାରେ ବାତ୍ୟାର ଆଶଙ୍କା ଏଯାଏ ସ୍ପଷ୍ଟ ହୋଇ ନାହିଁ। ତେଣୁ ଲୋକମାନେ ଏବେଠାରୁ ଆତଙ୍କିତ ହୁଅ ନାହିଁ। କୌଣସି ଗୁଜବରେ ବିଶ୍ୱାସ ନ କରି ପାଣିପାଗ ବିଭାଗର ଆକଳନ ଉପରେ ବିଶ୍ୱାସ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି।
ଏ ନେଇ ଜେନା ବିଭିନ୍ନ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଜିଲାମାଳମାନଙ୍କ ପାଖକୁ ଏସ୍‌ଆର୍‌ସି ଦେଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତାହା ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏବେ ଏହା ପାରାଦୀପଠାରୁ ୯୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍‌ ଡିପ୍ରେସନର ରୂପ ନେବା ସହ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବାର ଅଶଙ୍କା ରହିଛି। ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କିନ୍ତୁ ଓଡ଼ିଶା ଉପକୂଳରେ ବାତ୍ୟାର ଆଶଙ୍କା ରହିଛି କି ନାହିଁ ସେ ନେଇ ଆଇଏମ୍‌ଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଓଡ଼ିଶାର୧୫ ଜିଲ୍ଲାକୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର କମିସନର ନିର୍ଦେଶ ଦେଇଛନ୍ତି | ସେ ଉକ୍ତ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି| ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ବନ୍ୟା ଓ ଜଳ ନିଷ୍କାସନ ପାଇଁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଛି | ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର।