Home ରାଜ୍ୟ ପୁଣି ଚାଷୀ ଉପରେ ଦାଉ ସାଧିଲା ହାତୀ,ଫଳନ୍ତା ଫସଲକୁ ଦଳିଦେଲା!

ପୁଣି ଚାଷୀ ଉପରେ ଦାଉ ସାଧିଲା ହାତୀ,ଫଳନ୍ତା ଫସଲକୁ ଦଳିଦେଲା!


କେନ୍ଦୁଝର : ଅଦିନିଆ ବର୍ଷା,ଚକଡା,ପେଥାଇ ପରେ ଏବେ ଚାଷୀ ଉପରେ ଦାଉ ସାଧିଛି ହାତୀ । ଚାଷରେ ହୋଇଥିବା କ୍ଷତିକୁ ଚାଷୀ ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ପଲ କିନ୍ତୁ ଚାଷ ନଷ୍ଟ କରିବାରେ ବ୍ୟସ୍ତ । ଚାଷୀଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଯାଇଛି ଯେ ଚାଷିକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଆଦିବାସୀ ବହୁଳ ବିରଗୋବିନ୍ଦପୁର ପଞ୍ଚାୟତ ଶାଲୁକାଡିହି ଗ୍ରାମରେ । ଏଠାକାର ୯୦ ଭାଗ ଲୋକ ଗରିବ ଓ ଆଦିବାସୀ ହୋଇଥିବାରୁ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଗତ ୩ ଦିନ ହେବ ୧୫ଟି ହାତି ପଲ ପାଚିଲା ଧାନ ଖାଇବାକୁ ଗାଁ ମୁହାଁ ହୋଇଥିବା ବେଳେ ଫସଲ ଖାଇବା ସହ ନଷ୍ଟ ମଧ୍ୟ କରିଦେଉଛନ୍ତି । ବନ ବିଭାଗ ମଧ୍ୟ ହାତି ପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରୁଛି । ତେବେ ଏନେଇ ଆନନ୍ଦପୁର ଡିଏଫଓ ସଫେଇ ଦେଇଛନ୍ତି ଯେ ଜଙ୍ଗଲ ନିକଟରେ ଗ୍ରାମବାସୀ ମାନେ ରହୁଥିବାରୁ ହାତୀ ଖାଦ୍ୟ ଅନ୍ୱେଷଣରେ ତଥା ତାର ଚଲାବୁଲା ସମୟରେ ଗାଁ ମୁହାଁ ହୋଇଯାଉଛି । ତେବେ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଡିଏଫଓ ।