ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ (ପରୀ) ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ନାବାଳକ। ପକ୍ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ରକୁ କାଏମ ରଖିବା ସହିତ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହିତ, ମାମଲାରୁ ନୟାଗଡ଼ ଜଷ୍ଟିସ୍ ଜୁଭେନାଇଲ୍ ବୋର୍ଡକୁ ସ୍ଥାନାନ୍ତର କରିଛନ୍ତି। ଫଳରେ, ଜେଲ୍ ବଦଳରେ ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅପରପକ୍ଷେ, କୋର୍ଟଙ୍କ ଏହି ରାୟ ପରେ ଅଭିଯୁକ୍ତକୁ ସାବାଳକ ବୋଲି ଦର୍ଶାଇଥିବା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି)କୁ ଏକପ୍ରକାର ଶକ୍ତ ଝଟ୍କା ଲାଗିଛି।
ଗତକାଲି ଓକିଲ ପ୍ରଫୁଲ୍ଲ ଶତପଥୀ କୋର୍ଟଙ୍କ ନିକଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍ର ମୂଳକପି ଦାଖଲ କରିଥିଲେ। ପକ୍ସୋ କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିଥିବା ସହିତ ଅଭିଯୁକ୍ତର ମା’ଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅଭିଯୁକ୍ତର ମା’ କୋର୍ଟରେ ଉପସ୍ଥିର ରହି ନିଜର ବୟାନ ଦେଇଥିଲେ। ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଏହି ଶୁଣାଣି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେବାପରେ ପକ୍ସୋ କୋର୍ଟ ଏହି ମାମଲାକୁ ନୟାଗଡ଼ ଜଷ୍ଟିସ୍ ଜୁଭେନାଇଲ ବୋର୍ଡକୁ ସ୍ଥାନାନ୍ତର କରିଛନ୍ତି। ଏଥିସହିତ, ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍ଆଇଟି ଆବେଦନ କରିଥିଲା। ବର୍ତ୍ତମାନ ମାମଲା ଜଷ୍ଟିସ୍ ଜୁଭେନାଇଲ୍ ବୋର୍ଡକୁ ସ୍ଥାନାନ୍ତର ହୋଇଥିବାରୁ, ଏ ସର୍ମ୍ପକରେ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତକୁ ସନ୍ଧ୍ୟା ପ୍ରାୟ ୫ଟାରେ ବୋର୍ଡରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ୍ ବଦଳରେ ଅନୁଗୁଳସ୍ଥିତ ବାଲ୍ ସୁଧାର ଗୃହକୁ ପଠାଯାଇଥିବା ଜଣାପଡ଼ିଛି।