Home ଦେଶ- ବିଦେଶ ନୂଆ ସହଯୋଗୀ ଅପେକ୍ଷାରେ ‘ପଦ୍ମ’ !

ନୂଆ ସହଯୋଗୀ ଅପେକ୍ଷାରେ ‘ପଦ୍ମ’ !

ନୂଆଦିଲ୍ଲୀ : ଦେଶରେ ପଦ୍ମ ଦଳ ପ୍ରତି ଗତ କିଛିମାସ ମଧ୍ୟରେ ଏକାଧିକ ଦଳର ମୋହଭଙ୍ଗ ଘଟିସାରିଛି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଉ ବୋଲି ତେଲଗୁ ଦେଶମ ପାର୍ଟି (ଟିଡିପି ) ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି ଉଠାଇଥିଳେ ବି ତାଙ୍କ ପ୍ରତି ବିଜେପି ଉପେକ୍ଷା କଲା । ଫଳରେ ନାଇଡୁ ଏନଡିଏ ଶିକୁଳି ଛିଣ୍ଡାଇ ମୁକ୍ତ ହେଲେ । ପରବର୍ତ୍ତୀ ସମୟରେ ଜମ୍ମୁ-କାଶ୍ମୀରରେ ପିଡିପି- ବିଜେପି ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଲା । ଫଳରେ ପିଡିପି ବିଚ୍ଛିନ୍ନ ହେଲା । ସେହିପରି ବିହାରରେ ରାଷ୍ଟ୍ରୀୟ ଲୋକସମତା ପାର୍ଟି (ଆରଏଲଏସପି) କୁ ତାହାର ପୂର୍ବ ମର୍ଯ୍ୟାଦା ମୁତାବକ ଲୋକସଭା ଆସନ ଦିଆଗଲା ନାହିିଁ । ତେଣୁ ପଛୁଆବର୍ଗ ନେତା ଭାବେ ଜଣାଶୁଣା ଏହି ଦଳର ମୁଖ୍ୟ ଉପେନ୍ଦ୍ର କୁଶୱାହ ଏନଡିଏ ଛାଡ଼ିବାକୁ ନିଷ୍ପତ୍ତି ନେଲେ । ଏବେ ଚର୍ଚ୍ଚା ଚାଲିଛି ଦଳ ଅଭାବ ପରିପୂରଣ ଲାଗି ଦକ୍ଷିଣଭାରତ ଉପରେ ନଜର ପକାଉଛି । ରାଜନୀତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି ୨୦୧୯ ସାଧାରଣ ନିର୍ବାଚନ ବେଳକୁ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମକେ ବିଜେପିର ପିଛା ଧରି ଏହାର ସହଯୋଗୀ ହେବ । ସେହିପରି ବଲିଉଡ ଅଭିନେତା ରଜନୀକାନ୍ତ ନିକଟରେ ମୋଦିଙ୍କ ପ୍ରତି ବେଶ୍ ପ୍ରଶଂସାମୁଖର ହୋଇଥିଲେ । ତେଣୁ ଅନୁମାନ କରାଯାଉଛି ଏହି ଅଭିନେତା ବିଜେପିକୁ ଲମ୍ଫ ପ୍ରଦାନ କରିପାରନ୍ତି । ସେହିପରି ତେଲେଙ୍ଗାନା ରାଷ୍ଟ୍ରସମିତି (ଟିଆରଏସ) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଚଳାଇଥିବା ସଂଘୀୟ ସାମ୍ମୁଖ୍ୟ ଅଭିଯାନର ପରିଣତି ସ୍ୱରୂପ ସାମ୍ମୁଖ୍ୟ କେତେଦୂର ଫଳବତୀ ହେବ ତାହା ଭିନ୍ନ ବିଷୟ । କିନ୍ତୁ ଏକାଧିକବାର ସେ ମୋଦିଙ୍କୁ ଭେଟି ଆସୁଥିବାରୁ ହେତୁ ତାଙ୍କ ଦଳ ମଧ୍ୟ ବିଜେପିର ସହଯୋଗୀ ହେବା ସମ୍ଭାବନା ଅଧିକ ।