Home Uncategorized ଦାମୋଦର ରାଉତଙ୍କ ଘରେ କଳି

ଦାମୋଦର ରାଉତଙ୍କ ଘରେ କଳି

ଭୁବନେଶ୍ୱର: ବିଜେଡିର ବହିଷ୍କୃତ ନେତା ଡା. ଦାମୋଦର ରାଉତଙ୍କ ଘରେ କଳି ପଶିବା ଭଳି ଦେଖିବାକୁ ମିଳିଛି । ତାଙ୍କ ଘରେ କଳି ପଶି ନ ଥିଲେ ତାଙ୍କ କଥାକୁ ଅମାନ୍ୟ କରି ନ ଥାନ୍ତେ ତାଙ୍କ ପୁତ୍ର ସମ୍ବିତ୍ ରାଉତରାୟ । କିଛିଦିନ ପୂର୍ବେ ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ତାଙ୍କ ପୁତ୍ର ସମ୍ବିତ୍ ବିଜେଡିର ସମ୍ପାଦକ ଭାବେ ରହିଛନ୍ତି । ଗଣମାଧ୍ୟମରେ ଦାମ ନିଜ ପୁଅ ତାଙ୍କ କଥାରେ ଅଛନ୍ତି ବୋଲି କହିବାକୁ ପଛାଇ ନ ଥିଲେ । ଏପରିକି ନିଜର ପିତୃତ୍ୱକୁ ଜାହିର କରିବା ପାଇଁ ଅନ୍ୟମାନଙ୍କ ଉଦାହରଣ ଦେବାକୁ ପଛାଇ ନ ଥିଲେ । ଇତିମଧ୍ୟରେ ଦାମ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମନ ଇଛା ଗାଳି ଦେବା ସହ ତାଙ୍କ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ରାଜନୀତିକୁ ହଟଚମଟ କରିଥିଲେ । ଫଳରେ ତାଙ୍କ ଟିଆର୍ପି ଗଣମାଧ୍ୟମରେ ଢେର୍ ଅଧିକ ହୋଇଥିଲା । କିନ୍ତୁ ବର୍ତ୍ତମାନ କିଛିଦିନ ହେବ ଦାମ ନିରବ ରହିଥିବାବେଳେ ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ଦାମଙ୍କ ପୁତ୍ର ସମ୍ବିତ୍ ରାଜଧାନୀରେ ଆୟୋଜିତ ସଭାମଞ୍ଚରେ ନବୀନଙ୍କ ପଛରେ ବସିବା ଘଟଣା ପୁଣି ରୋଚକ ଖବର ଆଣିଛି । ବାସ୍ତବରେ ଦାମଙ୍କ ପୁଅ ଦାମଙ୍କ କଥା ମାନୁନାହାନ୍ତି ନା ପୁଅର ଭବିଷ୍ୟତ ପାଇଁ ଦାମ ଇଚ୍ଛୁକ ନୁହନ୍ତି ତାହା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଦାମ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ବେଶ୍ ଦବ୍ଦବା ସୃଷ୍ଟି କରିଥିବାବେଳେ ପିତାଙ୍କୁ ଅନୁସରଣ କରି ପୁତ୍ର ସମ୍ବିତ୍ ଦଳୀୟ ସମ୍ପାଦକ ପଦରୁ କି କନ୍ୟା ପ୍ରୀତିନନ୍ଦା ଭୁବନେଶ୍ୱର କର୍ପୋରେଟର ପଦରୁ ଇସ୍ତଫା ଦେଇ ନ ଥିଲେ । ଦାମଙ୍କ ଇସ୍ତଫା ତାଙ୍କୁ ଏକରକମ ପରିବାରରେ ଏକଘରିଆ କରି ଦେଇଥିବା ବର୍ତ୍ତମାନ ଆଲୋଚ୍ୟର ବିଷୟ ହୋଇଛି । ତା ନ ହୋଇଥିଲେ ଦାମଙ୍କ ପଛେ ପଛେ ପୁତ୍ର ଓ କନ୍ୟା ଇସ୍ତଫା ଦେଇ ନବୀନଙ୍କୁ ସମାଲୋଚନା କରିବାକୁ ପଛାଇ ନ ଥିଲେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ପୁତ୍ର ଓ କନ୍ୟା ଇସ୍ତଫା ଦେଇ କେଉଁ ଦଳକୁ ଯାଇଥାନ୍ତେ? ଦାମ ଦଳ ଗଢ଼ିବେ ଗଢ଼ିବେ ବୋଲି ଦଳ ଗଢ଼ି ପାରୁ ନାହାନ୍ତି । ଏପରିକି ଗଣମାଧ୍ୟମରେ ସମତାକ୍ରାନ୍ତିରେ ଯୋଗ ଦେଇ ଏହାର ପ୍ରଚାରକ ସାଜିଥିଲେ ବୋଲି ଘୋଷଣା କରିଥିଲେ । କିନ୍ତୁ ଦିନ କେଇଟା ପରେ ସମତା କ୍ରାନ୍ତିରୁ ମୁହଁ ଫେରାଇ ନୂତନ ଦଳ ଗଢ଼ିବେ ବୋଲି ଘୋଷଣା କରିଥିଲେ । ଏଭଳି ସ୍ଥିତିରେ ପୁତ୍ର ସମ୍ବିତ୍ ଓ କନ୍ୟା ପ୍ରୀତିନନ୍ଦା ନିଜ ଭବିଷ୍ୟତ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବିଜେଡି ସହ ଯୋଡ଼ି ହେବା ବ୍ୟତୀତ ଅନ୍ୟ କିଛି ରାସ୍ତା ନ ଥିଲା । ଯେଉଁଥିପାଇଁ ପୁତ୍ର ସମ୍ବିତ୍ ଦଳୀୟ ପ୍ରତିଷ୍ଠା ଦିବସରେ ନବୀନଙ୍କ ପଛଧାଡ଼ିରେ ବସି ଚର୍ଚ୍ଚାର ପରିଧିକୁ ଆସିଥିଲେ । ବର୍ତ୍ତମାନ ଦାମଙ୍କ ଗଡ଼ ପାରାଦୀପରେ ଦେବାଶିଷଙ୍କ ବିଜୟ ବାନା ଫରଫର ହୋଇ ଉଡୁଛି । ପାରାଦୀପରେ ଦାମ ସଭାଟିଏ କରିବାକୁ ସକ୍ଷମ ହୋଇପାରି ନାହାନ୍ତି । କିନ୍ତୁ ଦେବାଶିଷ ପଦଯାତ୍ରାଠାରୁ ଆରମ୍ଭ କରି ମହିଳା ସମାବେଶ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକ୍ରମ କରାଇ ସେଥିରେ ଦଳର ନାମୀଦାମୀ ନେତାଙ୍କୁ ସାମିଲ କରାଇଛନ୍ତି । କିନ୍ତୁ ବର୍ତ୍ତମାନ ସମ୍ବିତ୍ କେତେଦୂର ବିଜେଡି ଦଳରେ ତିଷ୍ଠିବେ ତାହା ସମୟ କହିବ । ସମ୍ବିତ୍ଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ନ ମିଳିଲେ ସେ ନିଶ୍ଚିତ ଭାବେ ଅନ୍ୟ କେଉଁ ଦଳରେ ଯୋଗ ଦେଇ ପ୍ରାର୍ଥୀ ହେବେ । କିନ୍ତୁ ଦଳୀୟ ଟିକେଟ ପାଇଁ କିଛି ପ୍ରତିଶ୍ରୁତି ପାଇଥିବାରୁ ପିତାଙ୍କୁ ଅବଜ୍ଞା କରି ବିଜେଡି ପ୍ରତିଷ୍ଠା ଦିବସରେ ସମ୍ବିତ୍ ଯୋଗ ଦେଇଥିଲେ । ମାତ୍ର ଦାମଙ୍କ ଦଳ ଗଠନ ପରେ ପିତା ପୁତ୍ର ସେହି ପାରାଦୀପ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ମୁହାଁମୁହିଁ ହେବେ ନା ପିତାଙ୍କ ପରିବର୍ତ୍ତେ ପୁତ୍ର ପ୍ରାର୍ଥୀ ହେବେ ତାହା ଜୋର୍ଦାର ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । କିନ୍ତୁ ବିଜେଡିରେ ବହୁ ନେତା ନିଜ ଅପେକ୍ଷା ପୁତ୍ରମାନଙ୍କୁ ଥଇଥାନ କରିବା ନୀତିରେ ଥିବାରୁ ଆଗାମୀ ଦିନରେ ନିଜେ ଦଳୀୟ ଟିକେଟ ନ ନେଇ ପୁତ୍ରମାନଙ୍କୁ ଦେବାପାଇଁ ଉଦ୍ୟମ ଚଳାଇଥିବାବେଳେ ଦାମ କ’ଣ ନୀରବ ରହି ସମ୍ବିତ୍ଙ୍କୁ ବିଜେଡି ଟିକେଟ ଦେଇ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରି ନିଜ ସମ୍ପାଦନାରେ ପ୍ରକାଶ ପାଉଥିବା ସମ୍ବାଦପତ୍ରରେ ନିଜ ଅନୁଭୂତି ଲେଖିବେ । ବର୍ତ୍ତମାନ ସମ୍ବିତ୍ଙ୍କୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଦାମଙ୍କ ସ୍ୱର ଆଉ ପୂର୍ବଭଳି ଶାଣିତ ନ ହୋଇ ନରମି ଯାଇଥିବା ଭଳି ହୋଇଛି । କିନ୍ତୁ ବିଜୁବାବୁ ଦାମଙ୍କୁ ପାରାଦୀପ ଜଗିବା ପାଇଁ ଚୌକିଦାର କରିଥିବାବେଳେ ବର୍ତ୍ତମାନ ଦାମ କ’ଣ ତାଙ୍କ ପୁତ୍ରଙ୍କୁ ଚୌକିଦାର କରିବେ ନା ବାଣିଜ୍ୟକ କ୍ଷେତ୍ରରେ ସୌଦାଗର କରିବେ ତାହା ପାରାଦୀପରେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।