Home ରାଜ୍ୟ ଥରୁଛି ରାଜ୍ୟ,ଆହୁରି ଥରାଇବ ଶୀତ !

ଥରୁଛି ରାଜ୍ୟ,ଆହୁରି ଥରାଇବ ଶୀତ !


ଭୁବନେଶ୍ୱର ; ଶୀତରେ ଥରୁଛନ୍ତି ସାରା ରାଜ୍ୟବାସୀ । ମାଡି ଆସୁଛି ଶୀତ । ଉତ୍ତର ଓଡ଼ିଶା ପରେ ଏବେ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ପାରଦ ଗୋଟିଏ ଡିଗ୍ରି ଲେଖାଏ କମୁଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ପର‌୍ୟ୍ୟନ୍ତ ରାତିର ତାପମାତ୍ରା ହାରାହାରିଠାରୁ ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ କମ୍ ରହିବ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ପାରଦ ହାରାହାରିଠାରୁ ୩ ଡିଗ୍ରି କମ୍ ରହିଛି। ଏହି ସମୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୧.୬ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ କମ୍ ରହିଥିବା ଦେଖିବାକୁ ମିଳୁଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ପାରଦ ୩.୧ରୁ ୫ ଡିଗ୍ରି ପର‌୍ୟ୍ୟନ୍ତ କମ୍ ରହୁଛି । ଫୁଲବାଣୀରେ ରାତିର ତାପମାତ୍ରା ଲଗାତାର ଭାବେ ହ୍ରାସ ପାଉଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀର ତାପମାତ୍ରା ଦୁଇ ଡିଗ୍ରି ହ୍ରାସ ପାଇଛି। ଗତକାଲି ରାତିରେ ଏଠାରେ ୭ ଡିଗ୍ରି ରେକର୍ଡ କରାଯାଇଛି। କନ୍ଧମାଳରେ ବି ପାରଦ ୮.୫ ଡିଗ୍ରିରେ ପହଞ୍ଚିଛି। ଭୋର ସମୟରେ ପ୍ରବଳ ଥଣ୍ଡା ସହ କୁହୁଡ଼ି ଜାରି ରହିଥିବାରୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।