Home ରାଜ୍ୟ ତିତଲି ଓ ପେଥାଇ ପରେ ଏବେ ବାତ୍ୟା ପାବୁକ

ତିତଲି ଓ ପେଥାଇ ପରେ ଏବେ ବାତ୍ୟା ପାବୁକ

ନୂଆଦିଲ୍ଲୀ:  ତିତଲି ଓ ପେଥାଇ ପରେ ଏବେ ମାଡି ଆସୁଛି ବାତ୍ୟା ପାବୁକ। ଦକ୍ଷିଣ ଚୀନ୍‌ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି।ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ଏହା ପ୍ରାୟ ୧୫୦୦ କି.ମି. ଦୂରରେ ରହିଛି। ଜାନୁଆରୀ ୬ରେ ଏହା ଆଣ୍ଡାମାନ ଦେଇ ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା ୮ ତାରିଖ ସୁଦ୍ଧା ଦୁର୍ବଳ ହୋଇ ମିଆଁମାର ଆଡ଼େ ଗତି କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ୭ଟି ଜିଲାର ଜିଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ପାବୁକ ମିଆଁମାର ଓ ଆଣ୍ଡାମାନ ମଧ୍ୟରେ ବଙ୍ଗୋପସାଗର ଉପକୂଳରେ ସ୍ଥଳଭାଗକୁ ଛୁଇଁବ ବୋଲି ଅନୁମାନ କରାଯାଉଛି।