Home Uncategorized ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ :

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ :

ବାଲୁଗାଁ : ୨୦୧୯ ସାଧାରଣ ନିର୍ବାଚନ ଆସନ୍ନପ୍ରାୟ, ସେହିଦୃଷ୍ଟିରୁ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇସାରିଛି । କିନ୍ତୁ କେଉଁ ଜାଗାରେ କିଏ ପ୍ରାର୍ଥୀ ହେବ ସେନେଇ ଅଙ୍କକଷା ଛିଡ଼ୁନି । ସେଥିମଧ୍ୟରୁ ଓଡ଼ିଶା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରୁ ୧୧୮ ନଂ. ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଆସନରେ ଜଣେ ପ୍ରାର୍ଥୀ ଥରେ ବିଜୟ ହେଲେ ଦ୍ୱିତୀୟଥର ଜିତିବା ତାଙ୍କ ପାଇଁ ବହୁ କଷ୍ଟକର ହୋଇଥାଏ । ସେହିଦୃଷ୍ଟିରୁ ଦେଖିବାକୁ ଗଲେ ୨୦୦୦ ମସିହାଠାରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ହେବା ଦୃଷ୍ଟିରୁ ବିଜେପିର ପ୍ରାର୍ଥୀ ଡ. ବିଭୁତି ଭୂଷଣ ହରିଚନ୍ଦନ ୨ଥର ଏଠାରେ ବିଜୟ ଲାଭ କରିଥିଲେ । କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ସାଙ୍ଗକୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ତୁଲାଉଥିବା ଏବଂ କଂଗ୍ରେସ ଟିକେଟ ପାଇଁ ଆଶୟୀ ଥିବା ରଘୁନାଥ ସାହୁଙ୍କୁ ଶେଷ ମୂହୁର୍ତ୍ତରେ ଦଳରୁ ଟିକେଟ ନ ମିଳିବା ଫଳରେ ସେ ରାତାରାତି ବିଜେଡିରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ସେହି ସମୟରେ ଚିଲିକା ନିର୍ବାଚନମଣ୍ଡଳୀ ବିଜେଡିର ସଂଗଠନ ସେପରି ମଜଭୁତ ନଥିଲା, କିନ୍ତୁ ଶ୍ରୀ ସାହୁ ବିଜେଡିରେ ମିଶିବା ପରେ ଚିଲିକାରେ ବିଜେଡିର ନବକଳେବର ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ୨୦୧୪ କୌଣସି କାରଣବଶତଃ ପୁନଃ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚନମଣ୍ଡଳୀରେ କେବେ ଦେଖିବାକୁ ମିଳିନଥିଲା । ସେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସଭାସମିତିକୁ ଯାଆନ୍ତି ନାହିଁ । ଫଳରେ ସାଧାରଣଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ଚିଲିକା ନିର୍ବାଚନମଣ୍ଡଳୀରେ କଂଗ୍ରେସର ସତ୍ତା ନାହିଁ କହିଲେ ଚଳେ । ନେତୃତ୍ୱବିହୀନ ଏବଂ ଦିଗହରା କଂଗ୍ରେସ ଦଳ ଏବେ ୨୦୧୪ରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରିଥିବା ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବର୍ତ୍ତମାନ ଜୀବନ୍ନ୍ୟାସ ପାଇଲା ଭଳି ଲାଗୁଛି । ତାହା ପୁଣି ବହୁକଷ୍ଟରେ । ପ୍ରଦୀପ ସ୍ୱାଇଁ ଦଳକୁ ସଜାଡ଼ିବାକୁ ଲାଗିଥିବା ବେଳେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ମାନସିଂହ ଅତର୍କିତ ଭାବେ ଦଳକୁ ପ୍ରବେଶ କରିବା ଦ୍ୱାରା କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଇଛି । ବିଜେଡିର ପରାଜିତ ପ୍ରାର୍ଥୀ ରଘୁନାଥ ସାହୁ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବହୁପୂର୍ବରୁ ସାଂଗଠନିକ କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ଭୁବନେଶ୍ୱର ବ୍ଲକ୍ ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ, କିନ୍ତୁ ଚିଲିକା ନିର୍ବାଚନମଣ୍ଡଳୀର ଅଧିକାଂଶ ପଞ୍ଚାୟତରେ ସଭାସମିତି କରି ପୋଷ୍ଟରମାରି ଦଳୀୟ ଟିକେଟ ପାଇବା ପାଇଁ ଲବି ଚଳାଇଛନ୍ତି । ଇତିମଧ୍ୟରେ  ବର୍ତ୍ତମାନ ବିଜେଡିର ମିଡିଆ ସଂଯୋଜକ ଥିବା ମାନସ ମଙ୍ଗରାଜ ମଧ୍ୟ ନିଜର କର୍ମୀମାନଙ୍କୁ ଧରି ସଭାସମିତି କରି ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ମାନସ ଜଣେ ଉଚ୍ଚଶିକ୍ଷିତ,ସୁସଂଗଠକ ଓ ଅମାୟିକ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି ।  ଏସବୁ ପରେ ବାଣପୁର ବ୍ଲକ୍ର ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ ଅସନ୍ତୁଷ୍ଟ ବିଜେଡି ନାମରେ ଏକ ଗୋଷ୍ଠୀ ଗଠନ କରି ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଲାଗି ପଡ଼ିଥିବା ବେଳେ ୨୦୧୯ରେ ଟିକେଟ କିପରି ମିଳିବ ସେନେଇ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ପ୍ରକୃତରେ ବିଜେଡିରୁ ଦଳୀୟ ଟିକେଟ କାହାକୁ ମିଳିବ ତାହା ନିଶ୍ଚିତ ହୋଇନଥିବା ବେଳେ କିଏ କହୁଛି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ମିଳିପାରେ କାରଣ ସେ ଆଉ ଦିଲ୍ଲୀ ଯିବାକୁ ଚାହୁଁନାହାନ୍ତି । ତା’ପରେ ସେ ବାଲୁଗାଁର ବାସିନ୍ଦା ତେଣୁ ନିର୍ବାଚନ ଜିତିବା ତାଙ୍କୁ କଷ୍ଟ ହେବନାହିଁ । ବିଜେପିରେ ଟିକେଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନ ଥିଲେ ମଧ୍ୟ କିନ୍ତୁ ପାରିବାରିକ ଅହଂଭାବ ଏବଂ ନିର୍ବାଚନ ଜିତିବା ପରେ କାହାର ଆଉ ଦର୍ଶନ ନ ମିଳିବା, ବିଜେପିକୁ ଅଡ଼ୁଆରେ ପକାଇପାରେ । ୨୦୧୪ରେ ବିଜେପି ନିର୍ବାଚନ ଇସ୍ତାହାରରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ରଖିପାରିନଥିଲେ । ସବୁଠୁ ବଡ଼ ଦୁଃଖ , ନିର୍ବାଚିତ ବିଧାୟକ ଜନସାଧାରଣଙ୍କ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ । ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଗୋଟିଏ କଥା ଆଲୋଚ୍ୟ ବିଷୟ ପାଲଟିଛି । ତାହା ହେଲା ବିଜେପି କହିଲେ ହରିଚନ୍ଦନ ପରିବାର ଆଉ ବିଜେପିରେ ପ୍ରାର୍ଥୀ ହେବାକୁ କେହିନାହାନ୍ତି? ବାପା ପରେ ପୁଅ, ପୁଅ ପରେ ଭାଇ, ଭାଇ ପରେ ପୁତୁରା ଏହିପରି ପାରିବାରିକ ରାଜନୀତି ଯୋଗୁଁ ଲୋକେ ଅତିଷ୍ଠ ହୋଇଗଲେଣି । ହରିଚନ୍ଦନ ପରିବାର ରାଜନୀତିକୁ ଏକ ବ୍ୟବସାୟରେ ପରିଣତ କରିସାରିଲେଣି ବୋଲି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଦଳ ମଧ୍ୟରେ ଥିବା ଚାପା ଗୁଞ୍ଜରଣ ଦର୍ଶାଉଛି, ଏହିକି ଯେ ହରିଚନ୍ଦନ ପରିବାରକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜକୁ ପ୍ରସ୍ତୁତ ଚଳାଇଛନ୍ତି । ସେପଟେ ବର୍ତ୍ତମାନର ବିଧାୟକ ବିଭୁତି ହରିଚନ୍ଦନ ପୁତୁରା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟିକେଟ ଦେବା ସପକ୍ଷରେ ନ ଥିବା ବେଳେ କୌଣସି ମତେ ଟିକେଟ ହାତେଇବାକୁ ପୃଥ୍ୱୀରାଜ ତାଙ୍କର ଯୋଜନା ଚାଲୁ ରଖିଛନ୍ତି । କଂଗ୍ରେସ ଦଳ ଚିଲିକା ନିର୍ବାଚନମଣ୍ଡଳୀରେ କୋଉଠି ଅଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । କାରଣ ୧୯ବର୍ଷ ହେଲା ଏହି କଂଗ୍ରେସର ୱାର୍ଡମେମ୍ବରଟିଏ ମଧ୍ୟ ଜିତିନାହାନ୍ତି । ଯେତେ ସବୁ କଂଗ୍ରେସ କର୍ମୀଥିଲେ ସେମାନେ ସମସ୍ତେ ରଘୁନାଥଙ୍କ ସଙ୍ଗେ ବିଜେଡିକୁ ଚାଲିଗଲେ । ବାକି ଯେଉଁମାନେ ନ ଗଲେ ସେମାନେ ବିଜେପିକୁ ପଳାଇଲେ । ବାକି ହାତଗଣତିରେ କିଛିଲୋକ ଚୁପ୍ଚାପ୍ ନିଜର ପରିଚୟ ଲୁଚାଇ ନୀରବ ରହିଲେ । ତେଣୁ ଚିଲିକାରେ କଂଗ୍ରେସର ଅସ୍ତିତ୍ୱ ନାହିଁ କହିଲେ ଚଳେ । ଏଠି ମୁଖ୍ୟତଃ ବିଜେଡି ଆଉ ବିଜେପି ମଧ୍ୟରେ ଲଢ଼େଇ ହେଉଛି ଏବଂ ହେବ । ତେଣୁ ଏପରି ସ୍ଥିତିରେ କିଏ କେଉଁ ଦଳର ପ୍ରାର୍ଥୀ ହେବା ନିଶ୍ଚିତ ତାହା ଜଣାପଡ଼ୁନଥିବା ବେଳେ ଟିକେଟ ଆଶାୟୀମାନେ କିନ୍ତୁ ସେମାନଙ୍କର ରଣନୀତି ଜାରି ରଖିଥିବା ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।