Home ରାଜ୍ୟ କାଟ୍ ଖାଇଗଲା ବୁଧି; ଚୋରି କରି ଫସିଗଲେ କ୍ୟାସିୟର ଓ ମ୍ୟାନେଜର ବାବୁ !

କାଟ୍ ଖାଇଗଲା ବୁଧି; ଚୋରି କରି ଫସିଗଲେ କ୍ୟାସିୟର ଓ ମ୍ୟାନେଜର ବାବୁ !


କଳାହାଣ୍ଡି ; ଅତି ବୁଧି ଦେଖେଇବାରୁ ହଟହଟାରେ ପଡିଗଲେ କ୍ୟାସିୟର ଓ ମ୍ୟାନେଜର । ଧନୀ ହେବାର ଲୋଭ ଟାଣି ନେଲା କାଠଗଡାକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେରରେ ଥିବା ଉତ୍କଳ ଗ୍ରାମିଣ ବ୍ୟାଙ୍କରେ । ମୋଟେର ଠାରେ ଥିବା ଉତ୍କଳ ଗ୍ରାମିଣ ବ୍ୟାଙ୍କରୁ ଟଙ୍କା ହଡପ କରିଛନ୍ତି କାର୍ଯ୍ୟରତ ଶାଖା ପରିଚାଳକ ପ୍ରବିଣ ରଞ୍ଜନ ଠାକୁର ଓ କ୍ୟାସିୟର ଲଲିତ ଶବର । ଦୁଇଜଣ ମିଶି ବ୍ୟାଙ୍କରୁ ୧ କୋଟି ୨୩ ଲକ୍ଷ ୩୦ ହଜାର ଟଙ୍କା ହଡପ କରିଥିବା ବେଳେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଏହି ଟଙ୍କାକୁ ନିଜ ଆକାଉଣ୍ଟରୁ ଅନ୍ୟ ୮ଟି ଆକାଉଣ୍ଟକୁ ୧୩ ଟି ପର୍ଯ୍ୟୟର ଟ୍ରାନ୍ସଫର କରିଛନ୍ତି । ତେବେ ଏନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଅସିମ ପାତ୍ର ଗତ ୧୯ ତାରିଖରେ କୋକସରା ଥାନାରେ ଏତଲା ଦେବା ପରେ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟରଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ବ୍ୟାଙ୍କର ମ୍ୟାନେଜର ନିଜ ଭୁଲ ସ୍ୱୀକାର କରିବା ସହ କୌଣସି କମ୍ପାନିର ଅଫର ପାଇ ପ୍ରଲୋଭନରେ ପଡି ବ୍ୟାଙ୍କର ଟଙ୍କାକୁ ବିଭିନ୍ନ କମ୍ପାନି ଆକାଉଣ୍ଟକୁ ପଠାଇଥିବା ମାନିଥିଲେ । ତେବେ ପ୍ରମାଣ ମିଳିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି ।