Home ରାଜ୍ୟ ଆଇଏସର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଏନଆଇଏ ; ୧୦ ଗିରଫ !

ଆଇଏସର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଏନଆଇଏ ; ୧୦ ଗିରଫ !


ଦିଲ୍ଲୀ ; ଆଇଏସର ବଡଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଏନଆଇଏ । ଏହି ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଦିଲ୍ଲୀ ସମେତ ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ବଡଧରଣର ଯୋଜନା କରିଥିଲା । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ବିଶିଷ୍ଟ ରାଜନେତା ତଥା ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । କିନ୍ତୁ ଏ ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଏବଂ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡର ମିଳିତ ଦଳ ଉତ୍ତରପ୍ରଦେଶ ଓ ଦିଲ୍ଲୀର ୧୭ଟି ସ୍ଥାନରେ ଚଢାଉ କରିଥିଲା ଏବଂ ଆଇଏସ ସହିତ ସମ୍ପୃକ୍ତି ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଜିଲ୍ଲା ଆମରୋହ ଅନ୍ତର୍ଗତ ଏକ ମଦ୍ରାସାରୁ ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ସହାୟତାରେ ଉତ୍ତରପୂର୍ବ ଦିଲ୍ଲୀରୁ ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇଥିବା ଏଟିଏସର ଆଇଜି ଅସୀମ ଅରୁଣ ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଓ ସ୍ନାତକ ଛାତ୍ର ଅଛନ୍ତି । ଏନଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, ଦିଲ୍ଲିର ସୀଲମପୁର ଓ ଉତ୍ତରପ୍ରଦେଶର ଆମରୋଡ, ହାପୁର, ମୀରଟ ଓ ଲକ୍ଷ୍ନୌରେ ଚଢଉ କରାଯାଇଛି । ଆକ୍ରମଣ ପାଇଁ ଥିବା ବିପୁଳ ପରିମାଣର ବିସ୍ଫୋରଣ, ଅସ୍ତ୍ରଶସ୍ତ୍ର, ଗୁଳି ଓ ସ୍ୱଦେଶୀ ରକେଟ୍ ଲଞ୍ଚର ଗଚ୍ଛିତ କରାଯାଇଥିବା ବେଳେ ଏହାକୁ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ଭିତରେ ଶହେଟି ମୋବାଇଲ ଫୋନ, ୧୩୫ଟି ସିମକାର୍ଡ, ଲାପଟପ, ମେମୋରୀ କାର୍ଡ ଜବତ କରାଯାଇଛି । ଏହା ସହିତ ୨୫ କିଲୋ ବିସ୍ଫୋରକ ସାମଗ୍ରୀ, ସାଢେ ସାତ ଲକ୍ଷ ଟଙ୍କା, ସୁଇସାଇଡ୍ ଭେଷ୍ଟ, ୧୨ଟି ଦେଶୀ ପିସ୍ତଲ,, ଶହେରୁ ଅଧିକ ଅଫୁଟା ଗୁଳି ଜବତ କରାଯାଇଛି ।
ଆଇଏସ ଏହାର ନୂତନ ସଙ୍ଗଠନ ହରକତ-ଇ-ହର୍ବ-ଇ-ଇସଲାମ୍ ମାଧ୍ୟମରେ ଯୋଜନା କରିଥିଲା । ଏହି ଆକ୍ରମଣ ଯୋଜନାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ମୁଫତି ମହମ୍ମଦ ସୁହେଲ ଓରଫ ମୁଫତି ।