Home ରାଜ୍ୟ ଅଶାନ୍ତ ଶ୍ରୀକ୍ଷେତ୍ର; ୨୫ରେ ମାରିଲେ ଗୁଳି, ୨୬ରେ କାଟିଲେ ତଣ୍ଟି, ୨୭ରେ ପୋଲିସ, ସେବାୟତ ପିଟାପିଟି...

ଅଶାନ୍ତ ଶ୍ରୀକ୍ଷେତ୍ର; ୨୫ରେ ମାରିଲେ ଗୁଳି, ୨୬ରେ କାଟିଲେ ତଣ୍ଟି, ୨୭ରେ ପୋଲିସ, ସେବାୟତ ପିଟାପିଟି !


ପୁରୀ: ଅଶାନ୍ତ ହେଲାଣି ଶ୍ରୀକ୍ଷେତ୍ର । ଗତ ୨୫ ତାରିଖରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ୨୬ତାରିଖରେ ବାଲେଶ୍ୱରର ଜଣେ ଭକ୍ତଙ୍କୁ ଦୁର୍ବୃତମାନେ ତଂଟି କାଟି ଦେଇଥିଲେ । ଗୁରୁତର ଭକ୍ତ ପ୍ରମୋଦଙ୍କୁ ପ୍ରଥମେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅତି ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଆକ୍ରମଣ ଓ ବିବାଦ ଥମିନଥିବା ବେଳେ ଗତକାଲି ପୋଲିସ ଜଣେ ସେବାୟତଙ୍କୁ ମାଡ଼ ମାରଥିବା ଅଭିଯୋଗ ଆସିଥିଲା । ଏହାର ପ୍ରତିବାଦରେ ସେବାୟତମାନେ ଶ୍ରୀମନ୍ଦିର ସମ୍ମୁଖରେ ଆନ୍ଦୋଳନ କରିବାସହ ବଡ଼ ଦେଉଳର ଦ୍ୱାର ବନ୍ଦ କରିଦେଇଥିଲେ । ଏପରିକି ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ହୋଇନଥିବା ସହ ମହାପ୍ରଭୁଙ୍କୁ ଉପାସରେ ରହିବାକୁ ପଡ଼ିଛି । ଯାହାକୁ ନେଇ ଆଜି ସକାଳୁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏହି ବିବାଦରେ ଭକ୍ତ ଘଂଟା ଘଂଟା ଧରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ପୁରୀ ଏସପି ସାର୍ଥକ ଷଢଙ୍ଗୀ ଅତି ବେପାରୁଆ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ଏମିତ ବିଶୃଙ୍ଖଳା ନୂଆ ନୁହେଁ, ମଝିରେ ମଝିରେ ଏମିତି ହୁଏ, ଏହାକୁ ନେଇ ଭକ୍ତମାନେ ବ୍ୟସ୍ଥ ହେବାର କାରଣ ନାହିଁ ଶ୍ରୀମନ୍ଦିର ଖୋଲିଲେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେପର୍ଯ୍ୟନ୍ତ ଭକ୍ତମାନେ ସମୁଦ୍ରକୂଳରେ ବୁଲିବାକୁ ଯାଆନ୍ତୁ । ଏସପିଙ୍କ ଏପରି ମନ୍ତବ୍ୟ ପାଇଁ ଧାଡ଼ିରେ ବହୁ ସମୟ ଧରି ଅପେକ୍ଷା କରିଥିବା ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାର ପରିଣାମ ଭକ୍ତମାନେ ବ୍ୟାରିକୋଟ୍ ଭାଙ୍ଗି ଶ୍ରୀମନ୍ଦିର ଭିତରେ ପଶି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅଡ଼ି ବସିଛି । ଠିକ୍ ଏପରି ସମୟରେ ସେବାୟତ ଉପରେ ହୋଇଥିବା ଆକ୍ରମଣକୁ ପୋଲିସ ଅସ୍ୱୀକାର କରୁଥିବା ବେଳେ ଫୁଟେଜ ଦେଖି ଘଟଣାର ତଦନ୍ତ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି । ଅନ୍ୟପଟେ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଜିଦ୍ରେ ଅଟଳ ସେବାୟତ ।